17.1 C
Bhubaneswar
Saturday, February 14, 2026
Homeଖେଳପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ନୀରଜ

ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ନୀରଜ

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍‌ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍‌-ରୌପ୍ୟ) ଜିତି ଗୌରବ ରଚିଛନ୍ତି। ଅନ୍ୟ ଖେଳକୁ ମିଶାଇଲେ ସୁଶୀଲ କୁମାର (କୁସ୍ତି), ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ମନୁ ଭାକର (ସୁଟିଂ)ଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିବାର ସଫଳତା ପାଇଲେ। ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ।

ପଡ଼ୋଶୀ ପାକିସ୍ତାନର ଏହା ସର୍ବପ୍ରଥମ ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହୋଇଛି। ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। ପାକିସ୍ତାନ ହକି ଦଳ କିନ୍ତୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ ଜିତିଥିଲା। ବ୍ୟକ୍ତିଗତ ପଦକ ଦୁଇଟି ମହମ୍ମଦ ବଶିର (କୁସ୍ତି, ୧୯୬୦, ରୋମ) ଏବଂ ହୁସେନ୍ ସାହା (ମୁଷ୍ଟିଯୁଦ୍ଧ, ୧୯୮୮, ସିଓଲ) ଜିତିଥିଲେ। ଗୁରୁବାର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ତାଙ୍କ ପ୍ରଥମ‌ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। କାରଣ ଏହା ପୂର୍ବରୁ ତାଙ୍କ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ଅର୍ଶଦ ନଦୀମ୍ ତାଙ୍କ ଦ୍ବିତୀୟ ‌‌ଥ୍ରୋରେ ୯୨.୯୭ ମିଟର୍ ଫିଙ୍ଗି ଶୀର୍ଷକୁ କୁଦା ମାରିସାରିଥିଲେ।

ନୀରଜଙ୍କ ଭଳି ନଦୀମ୍ ମଧ୍ୟ ପ୍ରଥମ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅର୍ଶଦଙ୍କ ସ୍ବପ୍ନର ଥ୍ରୋ (୯୨.୯୭) ତାଙ୍କୁ ଏକାଥରକେ ଅଲିମ୍ପିକ୍ସ ରେକର୍ଡର ଅଧିକାରୀ କରାଇଥିଲା। ପୂର୍ବରୁ ଅଲିମ୍ପିକ୍ସ ରେକର୍ଡ ଡେନମାର୍କର ଆଣ୍ଡିଆସ୍‌ ଥୋର୍କିଲସେନ୍‌ (୯୦.୫୭ ମିଟର୍)ଙ୍କ ନାମରେ ଥିଲା। ଏହା ପରେ ନୀରଜ ତାଙ୍କ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଥ୍ରୋକୁ ମଧ୍ୟ ଫାଉଲ୍‌ରେ ଶେଷ କରିଥିଲେ। କିନ୍ତୁ ନୀରଜଙ୍କ ସିଜନ୍‌ର ଶ୍ରେଷ୍ଠ (୮୯.୪୫ ମିଟର) ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନକୁ କାଏମ ରଖିବାରୁ ସେ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିଲେ। ଏସୀୟ କ୍ରୀଡ଼ା ଭଳି ନୀରଜ ଓ ଅର୍ଶଦଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଲଢ଼େଇ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ବଢ଼ାଇଥିଲା। ନଦୀମ ତାଙ୍କ ତୃତୀୟ (୮୮.୭୨) ଓ ଚତୁର୍ଥ (୭୯.୪୦) ‌‌ଥ୍ରୋରେ କ୍ରମେ ତଳକୁ ଖସିଥିଲେ। କିନ୍ତୁ ଶେଷଟିରେ ୯୧.୭୯ ମିଟର୍ ଫିଙ୍ଗି ପ୍ରଧାନ୍ୟ ବିସ୍ତାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking