32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଡିସେମ୍ବରରେ ୪ରେ ପାଳନ ହେବ ନୌସେନା ଦିବସ; ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡିସେମ୍ବରରେ ୪ରେ ପାଳନ ହେବ ନୌସେନା ଦିବସ; ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ ହେବ। ଏଥିପାଇଁ ଭାରତୀୟ ନୌସେନା ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଓଡ଼ିଶାର ପୁରୀ ସମୁଦ୍ର ତଟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ନୌସେନାର ୫ଟି ଜାହାଜ ପୁରୀ ସମୁଦ୍ର ତଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ। ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସମୁଦ୍ର ଉପକୂଳରେ ଅନୁଷ୍ଠିତ ହେବ ନୌସେନା ଦିବସ। ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଏଠାରେ ରହି ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ। ବାୟୁସେନାର ବିଭିନ୍ନ ଯୁଦ୍ଧ ବିମାନ ଏୟାର ଶୋ କରିବା ସହ କମାଣ୍ଡୋମାନେ ମଧ୍ୟ ଏହି ଅବସରରେ ବିଭିନ୍ନ ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରିବେ। ଭାରତୀୟ ନୌସେନା ମଧ୍ୟ ଏହି ଅବସରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର ହୋଇଥିବା ବେଳେ ସାଧାରଣ ଲୋକମାନେ ସମୁଦ୍ର କୂଳରେ ଉପସ୍ଥିତ ରହି ନୌସେନା ଦିବସରେ ବିଭିନ୍ନ କଳା କୌଶଳ ଦେଖି ଅଭିଜ୍ଞତା ହାସଲ କରି ପାରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ସମୁଦ୍ର ତଟକୁ ଆଇଏନଏସ ଜଲାସ୍ୱ, କିଲଟନ, ସୁମେଧା, ଚାଙ୍ଘି ଭଳି ୪ଟି ଯୁଦ୍ଧ ଜାହାଜ ଓ ଗୋଟିଏ ଉଦ୍ଧାରକାରୀ ସହାୟକ ଜାହାଜ ସରସ୍ୱତୀ ଆସି ସର୍ଭେ ଆରମ୍ଭ କରିଛନ୍ତି। ସମୁଦ୍ରର କେଉଁ ଅଞ୍ଚଳରେ କେତେ ଗଭୀରତା ରହିଛି, କେଉଁ ସ୍ଥାନରେ କେଉଁ ଜାହାଜ ଅବସ୍ଥାନ କରିପାରିବ ସେ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଚାଲିଛି। ତେଣୁ ଏଥର ଓଡ଼ିଶାବାସୀ ପୁରୀ ସମୁଦ୍ର କୂଳରେ ଏକ ନିଆରା ଅନୁଭୂତି ପାଇବେ ବୋଲି ଭାରତୀୟ ନୌସେନାର ଅଧିକାରୀ ବୀରଜ ଚୌଧୁରୀ ପ୍ରକାଶ କରିଛନ୍ତି।

ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ପକ୍ଷରୁ ୧୯୪୪ ମସିହା ଠାରୁ ଏହି ଦିବସ ପାଳିତ ହୋଇଆସୁଛି। ପୂର୍ବରୁ ଏହି ସ୍ୱତନ୍ତ୍ର ଦିବସ ବମ୍ବେ, ବିଶାଖାପାଟଣା ଭଳି ବଡ଼ ବଡ଼ ସହରର ସମୁଦ୍ର କୂଳରେ ପାଳିତ ହୋଇ ଆସୁଥିଲା। ତେବେ ଚଳିତ ବର୍ଷ ପୁରୀ ସମୁଦ୍ର ତଟରେ ଏହି ଦିବସ ପାଳନ କରିବାକୁ ନୌସେନା ନିଷ୍ପତ୍ତି ନେଇଛି। ଏଥିପାଇଁ ବହୁ ସଂଖ୍ୟାରେ ଜଳ ଜାହାଜ ପୁରୀ ଉପକୂଳକୁ ଆସିବ। ନୌସେନା ଦିବସ ପାଳନ ଅବସରରେ ଏହି ଜାହାଜ କଳା କୌଶଳ ପ୍ରଦର୍ଶନ କରିବ। ପୂର୍ବରୁ ପୁରୀ ଉପକୂଳରେ ବାୟୁସେନା ପକ୍ଷରୁ ଏୟାର ସୋ ପ୍ରଦର୍ଶିତ ହୋଇସାରିଥିବା ବେଳେ ଏବେ ନୌସେନା ତାଙ୍କ ବୀରତ୍ୱର କଳା କୌଶଳ ପ୍ରଦର୍ଶନ କରିବା ପାଇଁ ପୁରୀ ଉପକୂଳକୁ ମନୋନୀତ କରିଛନ୍ତି। ପୁରୀକୁ ଆସିଥିବା ଜାହାଜ ଗୁଡ଼ିକରେ ନୌସେନା ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନୌସେନା ପକ୍ଷରୁ ବରିଷ୍ଠ ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଭାରତୀୟ ନୌସେନାର ପରାକ୍ରମ ଓ ଉନ୍ନତ ଯୁଦ୍ଧ କୌଶଳ ବେଶ ଆକଶ୍ରଣୀୟ। ଯଦି ନୌସେନା ଦିବସ ପୁରୀରେ କରାଯାଏ ତାହେଲେ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଉପଭୋଗ କରିବା ସହ ଯୁବପିଢ଼ି ମାନେ ନୌସେନା ପ୍ରତି ଆକୃଷ୍ଟ ହେବେ। ନୌସେନା ଅଧିକାରୀଙ୍କୁ ଯାହା କିଛି ସହଯୋଗ ଆବଶ୍ୟକ ରହିଛି ତାହା ପ୍ରଶାସନ ସମ୍ପୂର୍ଣ୍ଣ ଯୋଗାଇଦେବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସୂଚନା ଦେଇଛନ୍ତି।

ପୁରୀରେ ନୌସେନା ଦିବସ ପାଳନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ତେବେ ଏହାକୁ ସଫଳ କରିବା ପାଇଁ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୋଇଛି ନୌସେନା। ନୌସେନାର ବରିଷ୍ଠ ଅଧିକାରୀ ତଥା ଆଡମିରାଲ ଦିନେଶ କେ ତ୍ରିପାଠୀ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଏହି କାର୍ଯ୍ୟକ୍ରମ କିଭଳି ସଫଳ ହୋଇପାରିବ ସେନେଇ ମହାପ୍ରଭୁଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking