ଭୁବନେଶ୍ୱର : ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ପ୍ରକ୍ରିୟା ଓଡ଼ିଶାରେ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଇ ନିଜ ପରିବାରର ତଥ୍ୟ ଡିଜିଟାଲ୍ ପୋର୍ଟାଲରେ ଦାଖଲ କରିଛନ୍ତି। ଏଥର ଜନଗଣନାରେ ଲୋକମାନଙ୍କୁ ଏକ ସୁବିଧା ଦିଆଯାଇଛି, ଯେଉଁଥିରେ ସେମାନେ ଜନଗଣନା କର୍ମଚାରୀଙ୍କ ଅପେକ୍ଷା ନକରି ନିଜେ ଅନଲାଇନ୍ ମାଧ୍ୟମରେ ନିଜ ପରିବାରର ବିବରଣୀ ଦେଇପାରିବେ। ଏହାକୁ ହିଁ ‘ସେଲ୍ଫ୍ ଏନୁମେରେସନ୍’ କୁହାଯାଉଛି। ଏହି ପ୍ରକ୍ରିୟାରେ ସାମିଲ ହେବା ପରେ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସଠିକ୍ ଜନଗଣନା ଦ୍ୱାରା ହିଁ ଭଲ ଯୋଜନା ପ୍ରସ୍ତୁତ କରିପାରିବେ ବୋଲି ସେ କହିଛନ୍ତି। ଜନଗଣନା ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ ଏପ୍ରିଲ ୧୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଗ୍ରାହକମାନେ ନିଜ ମୋବାଇଲ୍ ନମ୍ବର ଏବଂ ଆଧାର ସାହାଯ୍ୟରେ ଲଗ୍-ଇନ୍ କରି ତଥ୍ୟ ଦେଇପାରିବେ। ଏପ୍ରିଲ ୧୬ ତାରିଖରୁ ଗଣନାକାରୀମାନେ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବେ ଏବଂ ଯେଉଁମାନେ ଅନଲାଇନ୍ କରିଛନ୍ତି ସେମାନଙ୍କ ତଥ୍ୟ ଯାଞ୍ଚ କରିବେ। ପ୍ରଥମ ପର୍ଯ୍ୟାୟରେ ମୋଟ ୩୩ଟି ପ୍ରଶ୍ନ ପଚରାଯାଉଛି। ଯେଉଁଥିରେ ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ଶୌଚାଳୟ, ରନ୍ଧନ ଗ୍ୟାସ୍ ଏବଂ ବ୍ୟକ୍ତିଗତ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡ଼ିବ।









