ଭୁବନେଶ୍ବର: ନବୀନ ବୁଲିଲେ ଲଳିତ କଳା ଏକାଡେମୀ । ଇ-ଓଡିଶା ପକ୍ଷରୁ ଓଡିଶାର ପ୍ରସିଦ୍ଧ ଚିତ୍ରକାର ଜଗନ୍ନାଥ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ THE LONG NOW OF US exhibition ରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଦର୍ଶିନୀରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଂଚିବା ପରେ ଇ-ଓଡିଶା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନବୀନ ପଟ୍ଟନାୟକ ଲଳିତ କଳା ଏକାଡେମୀ ପରିସରରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ଭୁୟସୀ ପ୍ରଶଂସା କରିଛନ୍ତି । ପ୍ରଦର୍ଶନୀରେ ଓଡିଶା ର କଳା ସଂସ୍କୁତି ପରମ୍ପରା ଓ ଲୋକ କଳାକୁ ପ୍ରଦର୍ଶିତ କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ଦିନ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିଛି । କାର୍ଯ୍ୟକ୍ରମରେ ନବୀନଙ୍କ ସହ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାଶ ଓ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁଙ୍କ ସମେତ ବହୁ କର୍ପୋରେଟର ଓ ଚିତ୍ରଶିଳ୍ପୀ ଉପସ୍ଥିତ ଥିଲେ ।










