ୱାଶିଂଟନ୍: ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟେ ତିନି ବ୍ରିକ୍ସ ରାଷ୍ଟ୍ର ଯେପରିକି ଭାରତ, ଚୀନ୍ ଏବଂ ବ୍ରାଜିଲ୍କୁ ରୁଷ୍ ସହ ବାଣିଜ୍ୟ ପ୍ରସଙ୍ଗରେ ଏକ କଡ଼ା ଚେତାବନୀ ଦେଇଛନ୍ତି । ରୁଟେ କହିଛନ୍ତି, ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ରୁଷ୍ ଉପରେ ଚାପ ପକାଇବା ପାଇଁ ଆମେରିକାର ରଣନୀତିକୁ ନାଟୋ ପୂର୍ଣ୍ଣ ସମର୍ଥନ କରୁଛି । ଏହି ପରିପ୍ରେକ୍ଷୀରେ ଭାରତ, ଚୀନ୍ ଏବଂ ବ୍ରାଜିଲ୍ ମଧ୍ୟ ରୁଷ୍ ସହ ବାଣିଜ୍ୟିକ ସମ୍ପର୍କରେ ପୁନଃର୍ବିଚାର କରିବା ଉଚିତ୍ । ରାଷ୍ଟ୍ରପତି ଟ୍ରମ୍ପ୍, ନିକଟରେ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ଆଗାମୀ ୫୦ ଦିନ ମଧ୍ୟରେ ଏକ ଚୁକ୍ତି କରିବାକୁ ରୁଷ୍କୁ ଆହ୍ୱାନ କରିଥିବା ବେଳେ ଏଥିରେ ଖିଲାପି ହେଲେ ରୁଷ୍ ଉପରେ ୫୦୦% ଶୁଳ୍କ ଲାଗୁ କରାଯିବା ନେଇ ଚେତାବନୀ ଦେଇଛନ୍ତି । ଟ୍ରମ୍ପ୍, ରୁଷ୍ ଏବଂ ଏହାର ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି । ରୁଟେଙ୍କ କହିବାନୁସାରେ ରୁଷ୍ ପାଇଁ ଆମେରିକା ସରକାରଙ୍କ ଏହି ନୀତି ଭାରତ, ଚୀନ୍ ଏବଂ ବ୍ରାଜିଲ୍ ପାଇଁ ମଧ୍ୟ ଲାଗୁ ହୋଇପାରେ ଯଦି ଏହି ୩ ରାଷ୍ଟ୍ର ଆମେରିକାର ବିରୋଧ ସତ୍ତ୍ୱେ ରୁଷ୍ ସହ ବାଣିଜ୍ୟିକ କାରବାରରେ ନିୟୋଜିତ ରୁହନ୍ତି । ପ୍ରକାଶ, ବ୍ରିକ୍ସ ଗୋଷ୍ଠୀ ସଦସ୍ୟ ଥିବା ଏହି ତିନୋଟି ଦେଶ ମସ୍କୋର ଶକ୍ତି ବାଣିଜ୍ୟର ଏକ ବଡ଼ ଅଂଶ ପରିଚାଳନା କରନ୍ତି ।
ରୁଟେ ଆମେରିକା କଂଗ୍ରେସରେ ସିନେଟରମାନଙ୍କ ସହିତ ଏକ ବୈଠକ ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି । ରୁଟେଙ୍କ କହିବାନୁସାରେଭାରତ, ଚୀନ୍ ଏବଂ ବ୍ରାଜିଲ୍ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରୁଷ୍ ଉପରେ ଚାପ ପକାଇବା ଉଚିତ୍ । ଏପରି ନହେଲେ ଆମେରିକା ସରକାରଙ୍କ ଅତିରିକ୍ତ ଶୁଳ୍କ କଟକଣାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ପ୍ରକାଶ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ରୁଷ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଆମେରକା ଭଳି ପାଶ୍ଚାତ୍ୟ ଦେଶଗୁଡ଼ିକ ଏବେ ରୁଷ୍ ଉପରେ ଅର୍ଥନୈତିକ ଏବଂ କୂଟନୈତିକ ଚାପ ବଢ଼ାଇବା ଦିଗରେ ଯୋଜନା କରୁଛନ୍ତି ।
ରୁଟେ ସିଧାସଳଖ କହିଛନ୍ତି, ଚୀନ୍ ଗୋଟିଏ ପଟେ ନିଜକୁ ନିରପେକ୍ଷ ଦର୍ଶାଇ ପାଶ୍ଚାତ୍ୟ ଦେଶମାନଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିବାର ନାଟକ କରୁଥିବା ଅନ୍ୟପଟେ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଯୋଗାଉଛି । ଚୀନ୍ ରୁଷକୁ ମାଇକ୍ରୋ-ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ଯୋଗାଉଛି, ଯାହା ରୁଷକୁ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନ ତିଆରି କରିବାରେ ସାହାଯ୍ୟ କରୁଛି । ନାଟୋ ଏହାକୁ ୟୁରୋପୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ ବୋଲି ମନେ କରୁଛି । ନାଟୋ ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ ଚୀନ୍ ଏକାସାଙ୍ଗରେ ଦୁଇଟି ନୀତି ଆପଣାଇପାରିବ ନାହିଁ । ଯଦି ଚୀନ୍ ପାଶ୍ଚାତ୍ୟ ଦେଶ ସହ ଭଲ ସମ୍ପର୍କ ଚାହୁଁଛି, ତେବେ ତାକୁ ରୁଷ୍କୁ ସାମରିକ ସହାୟତା ଦେବା ବନ୍ଦ କରିବାକୁ ପଡ଼ିବ । ଏତଦ୍ବ୍ୟତୀତ ଭାରତ, ଯୁଦ୍ଧ ଆରମ୍ଭ ହେବା ଠାରୁ ରୁଷ୍ ଠାରୁ କିଣୁଥିବା ବିପୁଳ ପରିମାଣର ଶସ୍ତା ଅଶୋଧିତ ତୈଳକୁ ନେଇ ମଧ୍ୟ ରୁଟେ ଚିନ୍ତା ବ୍ୟକ୍ତ କରିଛନ୍ତି । ଭାରତ ଏବଂ ଭାରତ ଭଳି ଦେଶଙ୍କ ଏପ୍ରକାର ବାଣିଜ୍ୟିକ କାରବାର ଯୋଗୁ ରୁଷ୍ର ଅର୍ଥନୀତିକୁ ବଡ଼ ସହାୟତା ମିଳୁଛି ବୋଲି ରୁଟେ କହିଛନ୍ତି ।










