24.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଦେଶବ୍ୟାପୀ କଂଗ୍ରେସ ବିରୋଧୀ ଉତ୍ତେଜନା; ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କ୍ଷମା ପ୍ରାର୍ଥନା ଦାବିରେ ଲାଗିଲା...

ଦେଶବ୍ୟାପୀ କଂଗ୍ରେସ ବିରୋଧୀ ଉତ୍ତେଜନା; ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କ୍ଷମା ପ୍ରାର୍ଥନା ଦାବିରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ଧର୍ମ ବିରୋଧୀ ବୟାନକୁ ନେଇ ଏବେ ଦେଶର କେତେକ ରାଜ୍ୟରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ରାହୁଲଙ୍କ ବୟାନକୁ ନେଇ ଚାରିଆଡୁ ତାଙ୍କୁ ନିନ୍ଦା କରାଯାଉଥିବା ବେଳେ ଆଜି ଉତ୍ତରପ୍ରଦେଶ, ଦିଲ୍ଲୀ, ଓଡ଼ିଶା, ଗୁଜରାଟ ଭଳି କେତେକ ରାଜ୍ୟରେ ତାଙ୍କ ପୋଷ୍ଟରରେ କଳା, ଗୋବର ଆଦି ବୋଳାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ବାହାରେ ମଧ୍ୟ କିଛି ହିନ୍ଦୁଗୋଷ୍ଠୀ ଯୁବକର୍ମକର୍ତ୍ତାମାନେ ପ୍ରବଳ ହଙ୍ଗାମା କରିଥିବା ଜଣାପଡିଛି । ରିପୋର୍ଟ ଅନୁସାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଗୁଜରାଟ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରି ପୋଷ୍ଟର ମାରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବଜରଙ୍ଗ ଦଳର କର୍ମୀମାନେ ଅହମ୍ମଦାବାଦ ସ୍ଥିତ ଗୁଜରାଟ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ପ୍ରବେଶ କରି ସେଠାରେ ପୋଷ୍ଟର ଲଗାଇଛନ୍ତି । ଏହା ବ୍ୟତୀତ ସେଠାରେ ସ୍ଥାପିତ ବୋର୍ଡରେ ରାହୁଲ ଗାନ୍ଧିଙ୍କ ମୁହଁରେ କାଳି ବୋଳିଛନ୍ତି ଏବଂ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ବିଶେଷ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଥିବା କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଯାଇଛି । ବିଜେପିର ଜାତୀୟ ଯୁବ ମୋର୍ଚ୍ଚା ସଭାପତି ତେଜସ୍ୱୀ ସୂର୍ଯ୍ୟାଙ୍କ ନେତୃତ୍ୱରେ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ କଂଗ୍ରେସକୁ ସମାଲୋଚନା ତଥା ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଏସବୁ କରାଯାଇଛି ।
ଦିନକ ପୂର୍ବେ ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ । ବିରୋଧୀ ଦଳ ନେତା ହିସାବରେ ସେ ପ୍ରଥମ ଥର ପାଇଁ ଉଦ୍‌ବୋଧନ ଦେବାକୁ ଯାଇ ମଣିପୁର ଦଙ୍ଗା ଠାରୁ ଆରମ୍ଭ କରି ନିଟ୍ ପ୍ରଶ୍ନପତ୍ର ଲିକ୍‌, ଅଗ୍ନିବୀର ଯୋଜନା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଜୋରଦାର ଆଟାକ୍ କରିଥିଲେ । ଏହି ସମୟରେ ଭଗବାନ ଶିବ, ନାନକ ଏବଂ ଅନ୍ୟ ମହାପୁରୁଷମାନଙ୍କ ଫଟୋକୁ ହାତରେ ଧରି ନିଜକୁ ହିନ୍ଦୁ ବୋଲାଉଥିବା ବ୍ୟକ୍ତିଙ୍କ ହିଂସ୍ର ବୋଲି କହି ସେ ସମାଲୋଚନା କରିଥିଲେ । ରାହୁଲ କହିଥିଲେ ଯେ ଯେଉଁମାନେ ହିଂସ୍ର ଆଚରଣ କରୁଛନ୍ତି, ସେମାନେ ହିନ୍ଦୁ ନୁହନ୍ତି । ବିଶେଷ କରି ସେ ବିଜେପି ଏବଂ ଆରଏସ୍‌ଏସ୍‌ର ତୀବ୍ର ସମାଲୋଚନା କରିଥିଲେ । ଧର୍ମ ନାମରେ ସେମାନେ ହିଂସା ଓ ଘୃଣାର ପ୍ରସାର କରୁଛନ୍ତି ବୋଲି କହିଥିଲେ । ରାହୁଲଙ୍କ ମନ୍ତବ୍ୟକୁ ବିଜେପିର ପ୍ରାୟ ସମସ୍ତ ନେତା ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତୀବ୍ର ବିରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିଥିଲେ । ଏପରିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛିଡ଼ା ହୋଇ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking