31.1 C
Bhubaneswar
Friday, March 27, 2026
Homeଓଡିଶାରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ଜାତୀୟ ନାଟକ ଉତ୍ସବ "ପୂର୍ବରଙ୍ଗ"

ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ”

ଉଦ୍‌ଘାଟନୀ ସନ୍ଧ୍ୟାରେ ନାଟକ “ନିଃସଙ୍ଗ ଈଶ୍ବର” ମଞ୍ଚସ୍ଥ

ଭୁବନେଶ୍ୱର:  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬” ଆରମ୍ଭ ହୋଇଯାଇଛି। ଏହି ନାଟକ ଉତ୍ସବ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେବ। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଶ୍ରୀ ମିହିର ମେହେର, ଶ୍ରୀ ସୁବୋଧ ପଟ୍ଟନାୟକ, ଶ୍ରୀ ଲାଲା ବୀରେନ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବିଶ୍ୱ ନାଟ୍ୟ ଦିବସ ଅବସରରେ ଅତିଥିମାନେ ସର୍ବ ପ୍ରଥମେ ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। “ଭାରତୀୟ ନାଟ୍ୟ ପରମ୍ପରା ହେଉଛି କାଳଜୟୀ। ନାଟକ ମାଧ୍ୟମରେ କଳାକାରମାନେ ସମାଜର ବାସ୍ତବତାକୁ ଦର୍ଶକମାନଙ୍କ ସମ୍ମୁଖରେ ପରିବେଷଣ କରିଥାନ୍ତି। ନାଟ୍ୟ କଳାକୁ ସମାଜର ଦର୍ପଣ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଜାତୀୟ ନାଟକ ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଥିବା ସମସ୍ତ ନାଟକ ଗୁଡ଼ିକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଆମେ ଆଶାବାଦୀ। ଏଥିସହ ଏହି ନାଟକ ଉତ୍ସବ ଆମ ଯୁବପିଢ଼ିଙ୍କୁ ଆମ ସମୃଦ୍ଧ ସଂସ୍କୃତି ସମ୍ବନ୍ଧରେ ଅବଗତ କରାଇବ” ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ନାଟକ “ନିଃସଙ୍ଗ ଈଶ୍ୱର” ପରିବେଷଣ କରାଯାଇଥିଲା ଯାହାକୁ ରଚନା କରିଥିଲେ ସୁମନ ଶାହା ଏବଂ ସୋହମ୍ ଗୁପ୍ତା। ନାଟକର ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ସୁମନ ଶାହା। ସୁମନ ଶାହା ଏବଂ ଚନ୍ଦ୍ରାଣୀ ସରକାରଙ୍କ ଚମତ୍କାର ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନାଟକରେ ଭକ୍ତର ନିଜ ପ୍ରଭୁଙ୍କ ପ୍ରତି ରହିଥିବା ଭକ୍ତିଭାବକୁ ଖୁବ୍ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking