26.7 C
Bhubaneswar
Wednesday, March 26, 2025
Homeଦେଶ ବିଦେଶନାଗପୁର ହିଂସାକାଣ୍ଡ: ଆକ୍ସନ ପ୍ଲାନ୍ ପ୍ରସ୍ତୁତ କଲେ ମୁଖ୍ୟମନ୍ତ୍ରୀ

ନାଗପୁର ହିଂସାକାଣ୍ଡ: ଆକ୍ସନ ପ୍ଲାନ୍ ପ୍ରସ୍ତୁତ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ନାଗପୁର ହିଂସା ଘଟଣା ତଥା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଶନିବାର ନାଗପୁର ପୋଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିଚାରବିମର୍ଶ ତଥା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ଜଣାପଡିଛି। ବାହାରେ ଏକ ସାମ୍ବାଦିକ୍ ସମ୍ମିଳନୀ କରି ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଫଡନଭୀସ କହିଛନ୍ତି ଯେ, ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟଜନିତ ଗୁଜବ ଯୋଗୁଁ ନାଗପୁର ସହରରେ ପରିସ୍ଥିତି ଆହୁରି ଖରାପ ହୋଇଛି। ତେବେ ଦଙ୍ଗାକାରୀମାନଙ୍କୁ ଚିହ୍ନଟ କରାଯାଇଛି। ସମ୍ପ୍ରତି ଦଙ୍ଗା ସମୟରେ ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ହେବା ସହ କ୍ଷତିପୂରଣ ବାବଦରେ ଏସବୁ ଅର୍ଥ ମଧ୍ୟ ସେମାନଙ୍କ ଠାରୁ ଆଦାୟ କରାଯିବ। ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ପୋଲିସକୁ ଟାର୍ଗେଟ କରିଥିବା ଦଙ୍ଗାକାରୀମାନଙ୍କୁ ଏବେ ପରିଣାମ ଭୋଗିବାକୁ ପଡିବ। ସେହିପରି ଦଙ୍ଗାକାରୀମାନେ ଜଣେ ମହିଳା କନଷ୍ଟେବଳଙ୍କ ପୋଷାକ ଚିରିବାକୁ ଚେଷ୍ଟା କରିଥିବା ପ୍ରସଙ୍ଗ ଉପରେ ମଧ୍ୟ ତଦନ୍ତ ଜାରି ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏପ୍ରକାର ଉତ୍ତେଜକ ପୋଷ୍ଟ କରିବେ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ବିବେଚନା କରାଯିବ। ଏପର୍ଯ୍ୟନ୍ତ ଏପରି ଅନେକ ପୋଷ୍ଟ ହଟାଯାଇସାରିଛି। ଦୋଷୀମାନଙ୍କୁ କଦାପି ଛଡାଯିବ ନାହିଁ। ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗପୁର ହିଂସାରେ କୌଣସି ବିଦେଶୀ କିମ୍ବା ବାଂଲାଦେଶୀ ଦୃଷ୍ଟିକୋଣ ଥିଲା କି ବୋଲି ପ୍ରଶ୍ନ ଉଠିଛି। କିନ୍ତୁ ଏବେ ଏସବୁ ଉପରେ କିଛି କହିବା ଠିକ୍ ହେବ ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଏସବୁ ମଧ୍ୟରେ ଫଡନଭୀସ କହିଛନ୍ତି ଯେ ସାମ୍ପ୍ରତିକ ହିଂସା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଗପୁର ଗସ୍ତ ପ୍ରଭାବିତ ହେବ ନାହିଁ। ସେହିପରି ନାଗପୁର ହିଂସାକୁ ଗୁଇନ୍ଦା ସଂସ୍ଥାଗୁଡ଼ିକର ବିଫଳତା ବୋଲି କହିବା ଭୁଲ୍‌, ଏଥିରେ କୌଣସି ରାଜନୈତିକ ଦୃଷ୍ଟିକୋଣ ନାହିଁ।

ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ନାଗପୁରରେ ସଂଘଠିତ ହିଂସାକାଣ୍ଡରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯୁବକ ଆଜି ଅର୍ଥାତ୍ ଶନିବାର ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଇରଫାନ୍ ଅନ୍‌ସାରୀ (୩୮) ବୋଲି ଜଣାପଡ଼ିଛି। ହିଂସା ସମୟରେ ଇରଫାନ ଗୁରୁତର ଆହତ ହୋଇଥିଲେ, ଯାହାଫଳରେ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଇରଫାନ ଅନ୍‌ସାରୀ ନୱାଜ ନଗର ଅଞ୍ଚଳର ବାସିନ୍ଦା ଥିଲେ। ସୋମବାର ରାତି ୧୧:୩୦ ସମୟରେ ଇରଫାନ ଅନସାରୀ ରେଳ ଷ୍ଟେସନକୁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ ଇରଫାନ ଗତ ୬ ଦିନ ଧରି ଭେଣ୍ଟିଲେଟରରେ ଥିବା ବେଳେ ଆଜି ପ୍ରାଣତ୍ୟାଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking