15.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଭାଗ ଭାଗ ହୋଇଯିବ ମିଆଁମାର; ବିଦ୍ରୋହୀ ସଂଗଠନଙ୍କ କବଳରେ ବୃହତ୍ ଅଞ୍ଚଳ

ଭାଗ ଭାଗ ହୋଇଯିବ ମିଆଁମାର; ବିଦ୍ରୋହୀ ସଂଗଠନଙ୍କ କବଳରେ ବୃହତ୍ ଅଞ୍ଚଳ

ନାପିଦ:  ମିଆଁମାର ଗୃହଯୁଦ୍ଧ ଏବେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ସେନା-ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ, ତିକ୍ତତା, ଅଶାନ୍ତ ବାତାବରଣ ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସମ୍ପୂର୍ଣ୍ଣ ମିଆଁମାର ଦେଶ ବିଭାଜିତ ହେବା ଭଳି ସ୍ଥିତି ଉତ୍ପନ୍ନ ହୋଇଛି । ମିଆଁମାର ସେନା ନିୟନ୍ତ୍ରଣାଧୀନ ସରକାର ବିରୋଧରେ ଦେଶର ଅନେକ ବିଦ୍ରୋହୀ ଗୋଷ୍ଠୀ ଏବେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଇଛନ୍ତି । ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ଏହି ବିଦ୍ରୋହୀ ଗୋଷ୍ଠୀ ଏବେ ମିଆଁମାର ସେନା ବିରୋଧରେ ଯୁଦ୍ଧଂଦେହୀ ଡାକରା ମଧ୍ୟ ଦେଇଛନ୍ତି । ଏଥିସହ ମିଆଁମାର ସେନା ନିୟନ୍ତ୍ରଣରେ ଥିବା ଉତ୍ତରାଞ୍ଚଳର ଅଧିକାଂଶ ଭୂଭାଗ ଉପରେ ବିଦ୍ରୋହୀ ସଂଗଠନଗୁଡ଼ିକ କବ୍‌ଜା କରିନେଇଛନ୍ତି ।
ପ୍ରକାଶ, ମିଆଁମାର ସାମରିକ ବାହିନୀ (ସେନା) ୨୦୨୧ରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କୁ ହଟାଇ ନିଜେ କ୍ଷମତା ଦଖଲ କରିଥିଲା । ସେବେଠାରୁ ଦେଶର ଅନେକ ବିଦ୍ରୋହୀ ସଂଗଠନ ଏକଜୁଟ୍ ହୋଇ ସେନା ବିରୋଧରେ ସଶସ୍ତ୍ର ବିଦ୍ରୋହ କରିଆସୁଛନ୍ତି । ଫଳରେ ଗତ ୩ ବର୍ଷରୁ ଅଧିକ ସମୟ ଧରି ଏଠାରେ ଏଭଳି ସଂଘର୍ଷ ଚାଲିଆସୁଛି । କିନ୍ତୁ ଏବେ ସମୟକ୍ରମେ ବିଦ୍ରୋହୀ ସଂଗଠନଗୁଡ଼ିକ ସେନା ଉପରେ ଭାରୀ ପଡ଼ୁଥିବା ଦେଖାଯାଉଛି ।
ପ୍ରକାଶ, ଗତ ବର୍ଷ ଅକ୍ଟୋବରରେ ମିଆଁମାର ବିଦ୍ରୋହୀ ସଂଗଠନ ଅପରେସନ୍ ୧୦୨୭ ଅଧୀନରେ ମ୍ୟାଁମାର ସେନା ଉପରେ ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ କରିଥିଲା । ପ୍ରଥମ ପର୍ଯ୍ୟାୟ ଯୁଦ୍ଧରେ ବିଦ୍ରୋହୀ ସଂଗଠନମାନେ ଶାନ୍  ରାଜ୍ୟର ପୂର୍ବ ସୀମାକୁ କୌଶଳକ୍ରମେ କବ୍‌ଜା କରିନେଇଥିଲେ । ଏହି ଅଞ୍ଚଳ ଚୀନ୍ ସୀମାକୁ ଲାଗି ରହିଛି । ଏବେ ବିଦ୍ରୋହୀ ସଂଗଠନ ଦେଶର ଉତ୍ତରାଞ୍ଚଳକୁ କାବୁ କରିବା ପାଇଁ ଯୁଦ୍ଧ କରୁଛନ୍ତି, ଯାହାକି ମେଣ୍ଡଲେଠାରୁ ଲାଶିଓ ପର୍ଯ୍ୟନ୍ତ ପ୍ରାୟ ୨୮୦ କିଲୋମିଟର ପରିବ୍ୟାପ୍ତ । ଯଦି ବିଦ୍ରୋହୀ ସଂଗଠନ ସଫଳ ହୁଅନ୍ତି, ତେବେ ମିଆଁମାର ୨ ଭାଗ ହେବାର ଆଶଙ୍କା ରହିଛି । ସୂଚନାଯୋଗ୍ୟ, ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ମିଆଁମାରରେ ହିଂସା କାରଣରୁ ପ୍ରାୟ ୧ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି । ସେହିପରି ୩୦ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । କେବଳ ଶାନ୍ ରାଜ୍ୟରେ ହିଂସା ଯୋଗୁଁ ଜୁନ୍‌ରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ୧ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ପ୍ରାୟ ୧୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking