26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶତାମିଲନାଡୁ ବିଏସ୍‌ପି ଅଧ୍ୟକ୍ଷଙ୍କ ହତ୍ୟା ଘଟଣା; ସିବିଆଇ ତଦନ୍ତ ଦାବି କଲେ ମାୟାବତୀ

ତାମିଲନାଡୁ ବିଏସ୍‌ପି ଅଧ୍ୟକ୍ଷଙ୍କ ହତ୍ୟା ଘଟଣା; ସିବିଆଇ ତଦନ୍ତ ଦାବି କଲେ ମାୟାବତୀ

ଚେନ୍ନାଇ: ତାମିଲନାଡୁ ପ୍ରଦେଶ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷ କେ.ଆର୍ମଷ୍ଟ୍ରାଙ୍ଗଙ୍କୁ ନିର୍ମର୍ମ ଭାବେ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ଆଜି ଚେନ୍ନାଇ ଠାରେ ପହଞ୍ôଚ ସେ ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁ ଏଠାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା କହିଛନ୍ତି । ତାଙ୍କ ଦଳର ଜଣେ ସକ୍ରିୟ ନେତା କେ. ଆର୍ମଷ୍ଟ୍ରଙ୍ଗ୍‌ଙ୍କ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ କରାଯିବା ଏବଂ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି ମାୟାବତୀ । ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଚେନ୍ନାଇ ସ୍ଥିତ ବିଏସ୍‌ପି କାର୍ଯ୍ୟାଳୟ ପରିସରରେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ଅନ୍ତିମ ସଂସ୍କାର କରାଯିବା ଦାବିରେ ବିଏସ୍‌ପି ପକ୍ଷରୁ ହୋଇଥିବା ଆବେଦନକୁ ମଧ୍ୟ ମାଡ୍ରାସ୍ ହାଇକୋର୍ଟ ଆଜି ଖାରଜ କରିଦେଇଥିବା ଜଣାପଡିଛି । ବିଏସ୍‌ପିର ଏପ୍ରକାର ଆବେଦନକୁ ଶାସକ ଦଳ ଡିଏମ୍‌କେ ପକ୍ଷରୁ ବିରୋଧ କରାଯିବା ପରେ କୋର୍ଟ ଏପ୍ରକାର ଅନୁମତି ଦେବାକୁ ମନା କରିଦେଇଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ୬ ଅଧିକ ଦୁର୍ବୃତ୍ତ ଆର୍ମଷ୍ଟ୍ରଙ୍ଗ୍‌ଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ପେରାମ୍ବୁର ସଦାୟପ୍ପାନ୍ ଷ୍ଟ୍ରିଟ୍‌ରେ ଥିବା ନିଜ ବାସଭବନ ବାହାରେ ହିଁ ତାଙ୍କୁ ବାରମ୍ବାର ଛୁରାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ତାମିଲନାଡୁ ପୁଲିସ୍ ବର୍ତ୍ତମାନ ସୁଦ୍ଧା ୮ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ଏବଂ ଜେରା ଆରମ୍ଭ କରିଥିବା ଜାଣିବାକୁ ମିଳିଛି । ସିସିଟିଭି ଫୁଟେଜ୍‌ରୁ ମିଳିଥିବା ବାଇକ୍ ନମ୍ବର ପ୍ଲେଟ୍ ଆଧାରରେ ଏସମସ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ୍ ଦର୍ଶାଇଛି । ଏମାନେ ସମସ୍ତେ କୁରାବର ସମ୍ପ୍ରଦାୟର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଏବେ ପୁରା ତାମିଲନାଡୁରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

ଅଭିଯୁକ୍ତଙ୍କ ଗିରଫ ଦାବି, ଏହି ଘଟଣାରେ ସିବିଆଇ ତଦନ୍ତ ଭଳି ଦାବିଗୁଡ଼ିକ ବିଏସ୍‌ପି ପକ୍ଷରୁ ଏବେ ଜୋରଦାର ଦାବି କରାଯାଉଛି । ଏତଦ୍‌ବ୍ୟତୀତ ପ୍ରଦେଶ ବିଏସ୍‌ପି ଉପସଭାପତି ନାରାୟଣନ୍ ତିରୁପତି ଆଉ ପାଦେ ଆଗେଇ ଯାଇ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚେନ୍ନାଇ ସହରରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅଭିନେତାରୁ ରାଜନେତା ସାଜିଥିବା ଥଲପତି ବିଜୟ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିବା ସହ ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି । ଷ୍ଟାଲିନ୍‌, ଦିବଂଗତ ନେତାଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତ କରି କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking