16.1 C
Bhubaneswar
Sunday, December 21, 2025
Homeଖେଳହାଇଦ୍ରାବାଦକୁ ୭ ୱିକେଟ୍‌ରେ ହରାଇଲା ମୁମ୍ବାଇ

ହାଇଦ୍ରାବାଦକୁ ୭ ୱିକେଟ୍‌ରେ ହରାଇଲା ମୁମ୍ବାଇ

ହାଇଦ୍ରାବାଦ: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ତା’ ଘରୋଇ ଗ୍ରାଉଣ୍ଡ୍‌ରେ ୭ ୱିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ ସିଜନ୍‌ରେ ବିଜୟ ଚୌକା ହାସଲ କରିଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନାସ୍‌ନାଲ୍ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ପାଇଥିବା ହାଇଦ୍ରାବାଦ ପ୍ରଥମେ ୮ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ଜବାବରେ ରୋହିତ ଶର୍ମାଙ୍କୁ ୭୦ ରନ୍‌ର ବିସ୍ଫୋରକ ଇନିଂସ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୧୯ ବଲ୍‌ରେ ୪୦ ରନ୍‌ର ଅପରାଜିତ ଇନିଂସ୍ ସହାୟତାରେ ମୁମ୍ବାଇ ୧୫.୪ ଓଭର୍‌ରେ ୩ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଛି।

୧୪୪ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦ୍ୱିତୀୟ ଓଭର୍‌ରେ ହିଁ ଓପ୍ନର୍ ର‌୍ୟାନ୍ ରିକେଲ୍‌ଟନ୍‌ଙ୍କ ୱିକେଟ୍ ହରାଇଥିଲା। ରିକେଲ୍‌ଟନ୍ ୧୧ ରନ୍ କରି ଜୟଦେବ ଉନାଦକତ୍‌ଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହାପରେ ୱିଲ୍ ଜ୍ୟାକ୍ସଙ୍କ ସହ ରୋହିତ ଶର୍ମା ଇନିଂସ୍ ସମ୍ଭାଳିଥିଲେ। ରୋହିତ ୩୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ୧୦ମ ଓଭର୍‌ରେ ଜ୍ୟାକ୍ସ (୨୨) ଆଉଟ୍ ହୋଇଥିଲେ। ଇତିମଧ୍ୟରେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୪ ରନ୍‌ର ପାର୍ଟନର୍‌ଶିପ୍ ହୋଇଥିଲା। ୱିଲ୍ ଜ୍ୟାକ୍ସଙ୍କ ଆଉଟ୍ ପରେ ରୋହିତଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଥିଲା। ସେ ୪୬ ବଲ୍‌ରେ ୮ ଚୌକା ଓ ୩ ଛକା ସହାୟତାରେ ୭୦ ରନ୍ କରି ଆଉଟ୍ ହୋଇଥିଲେ। ଆଉଟ୍ ପୂର୍ବରୁ ସେ ସୂର୍ଯ୍ୟକୁମାରଙ୍କ ସହ ୫୩ ରନ୍ ଯୋଡ଼ିଥିଲେ। ୧୫ଶ ଓଭର୍‌ରେ ରୋହିତ ଆଉଟ୍ ହେବା ବେଳକୁ ମୁମ୍ବାଇକୁ ବିଜୟ ପାଇଁ ୩୨ ବଲ୍‌ରେ ମାତ୍ର ୧୪ ରନ୍‌ର ଆବଶ୍ୟକତା ଥିଲା। ଏହାପରେ ସୂର୍ଯ୍ୟକୁମାର ଧୂଆଁଧାର ଇନିଂସ୍ ଖେଳି ଟିମ୍‌କୁ ୧୬ଶ ଓଭର୍‌ରେ ହିଁ ବିଜୟୀ କରାଇଥିଲେ। ସୂର୍ଯ୍ୟ ୧୯ ବଲ୍‌ରେ ୫ ଚୌକା ଓ ଦୁଇଟି ଛକା ସହାୟତାରେ ୪୦ ରନ୍ କରି ତିଳକ ବର୍ମା (୨)ଙ୍କ ସହ ଅପରାଜିତ ଫେରିଥିଲେ। ହାଇଦ୍ରାବାଦ ପକ୍ଷରୁ ଉନାଦ୍‌କତ୍‌, ଈଶାନ୍ ମାଲିଙ୍ଗା ଓ ଜିଶାନ୍ ଅନ୍‌ସାରୀ ୧-୧ ୱିକେଟ୍ ନେଇଥିଲେ। ଏହା ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ ହୋଇଥିବା ବେଳେ ଟିମ୍ ପଏଣ୍ଟ୍ ଟେବଲ୍‌ର ତୃତୀୟ ସ୍ଥାନକୁ ଉଠିଛି।

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦର ଆରମ୍ଭ ଭଲ ନଥିଲା। ଦ୍ୱିତୀୟ ଓଭର୍‌ରେ ଟ୍ରାଭିସ୍ ହେଡ୍‌ଙ୍କୁ ଟ୍ରେଣ୍ଟ୍ ବୋଲ୍ଟ ଆଉଟ୍ କରିଥିଲେ। ହେଡ୍ ଖାତା ମଧ୍ୟ ଖୋଲିପାରି ନଥିଲେ। ତୃତୀୟ ଓଭର୍‌ରେ ଈଶାନ୍ କିଶନ୍ ୧ ରନ୍ କରି ଦୀପକ ଚହର୍‌ଙ୍କ ଶିକାର ହୋଇଥିଲେ। ଏହାପରେ ଚତୁର୍ଥ ଓଭର୍‌ରେ ଅଭିଷେକ ଶର୍ମା ଏବଂ ପରବର୍ତ୍ତୀ ଓଭର୍‌ରେ ନୀତୀଶ ରେଡ୍ଡୀ ପ୍ୟାଭିଲିୟନ୍ ଫେରିଥିଲେ। ଅନିକେତ ବର୍ମା ୧୨ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହେବା ପରେ ଟିମ୍‌ର ସ୍କୋର୍ ୫ ୱିକେଟ୍‌ରେ ୩୫ ରନ୍ ହୋଇଥିଲା। ଏହିଠାରୁ ହେନ୍‌ରିକ୍ କ୍ଲାସେନ୍ ଓ ଅଭିନବ ମନୋହର ଇନିଂସ୍ ସମ୍ଭାଳି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟଙ୍କ ମଧ୍ୟରେ ୬ଷ୍ଠ ୱିକେଟ୍ ପାଇଁ ୯୯ ରନ୍‌ର ପାର୍ଟନରଶିପ୍ ହୋଇଥିଲେ। କ୍ଲାସେନ୍‌ଙ୍କ ଆଉଟ୍ କରି ଜସ୍‌ପ୍ରୀତ୍ ବୁମ୍‌ରା ଏହି ପାର୍ଟନରଶିପ୍‌ରେ ବ୍ରେକ୍ ଲଗାଇଥିଲେ। କ୍ଲାସେନ୍ ୪୪ ବଲ୍‌ରେ ୯ ଚୌକା ଓ ଦୁଇ ଛକା ସହାୟତାରେ ୭୧ ରନ୍ କରିଥିଲେ। ଅଭିନବ ମନୋହର ୩୭ ବଲ୍‌ରେ ୨ ଚୌକା ଓ ୩ ଛକା ସହାୟତାରେ ୪୩ ରନ୍ କରି ହିଟ୍ ୱିକେଟ୍ ହୋଇ ଫେରିଥିଲେ। କମିନ୍ସ ୧ ରନ୍ କରି ବୋଲ୍ଟଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ୪, ଚହର ୨, ବୁମ୍‌ରା ଓ ପାଣ୍ଡ୍ୟା ୧-୧ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking