ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ହୁସୈନ ରାଣାର ଏନ୍ଆଇଏ ହେପାଜତ୍ ଅବଧିକୁ ଆଉ ୧୨ ଦିନ ବୃଦ୍ଧି କରାଯାଇଛି। ସିଧାଅର୍ଥରେ କହିଲେ ଏନ୍ଆଇଏ ଏବେ ରାଣାକୁ ଆଉ ୧୨ ଦିନ ଯାଏ ନିଜ କଷ୍ଟଡିରେ ରଖି ଜେରା କରିବ। ରାଣାକୁ ଆମେରିକାରୁ ପ୍ରତ୍ୟର୍ପଣ କରି ଭାରତ ଅଣାଯିବା ପର ଠାରୁ ଏନ୍ଆଇଏ ତାକୁ ଜେରା କରିଆସୁଛି। ତେବେ ସୋମବାର ତା’ର ଏନ୍ଆଇଏ ୧୮ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଆଜି ତାକୁ ପୁନର୍ବାର ସ୍ୱତନ୍ତ୍ର ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କୋର୍ଟରେ ହାଜର କରାଯାଇ ଜେରା ପାଇଁ ଆଉ କିଛି ଦିନର ଅବଧି ପାଇଁ ଅନୁରୋଧ କରାଯାଇଥିଲା, ଯାହାକୁ କୋର୍ଟ ଗ୍ରହଣ କରିନେଇଛନ୍ତି। କୋର୍ଟ ରାଣାଙ୍କ ଏନଆଇଏ ହେପାଜତକୁ ଆଉ ୧୨ ଦିନ ବୃଦ୍ଧି କରିଛନ୍ତି। ରାଣାକୁ ସ୍ୱତନ୍ତ୍ର ଏନ୍ଆଇଏ ଜଜ୍ ଚନ୍ଦର ଜିତ୍ ସିଂହଙ୍କ ନିକଟରେ ହାଜର କରାଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ ଦୟାନ କ୍ରିଷ୍ଣନଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ କୋର୍ଟରେ ହାଜର ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଆଇନ ସେବା ପ୍ରାଧିକରଣ ଦ୍ୱାରା ନିଯୁକ୍ତ ଆଇନଜୀବୀ ପୀୟୂଷ ସଚଦେବ ରାଣା ପକ୍ଷରୁ ମାମଲା ପରିଚାଳନା କରିଥିଲେ।
ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ରାଣାକୁ ଦିଲ୍ଲୀସ୍ଥିତ ଏନ୍ଆଇଏ କାର୍ଯ୍ୟାଳୟରେ ପଚରାଉଚରା କରିବାର କିଛି ସମୟ ପରେ ଏହି ଶୁଣାଣି ହୋଇଛି। ଏନ୍ଆଇଏନ୍ ନିଜ ଅନୁରୋଧରେ ଦର୍ଶାଇଥିଲା ଯେ, ଜେରା ସମୟରେ ରାଣା ସମ୍ପୂର୍ଣ୍ଣ ରୂପେ ସହଯୋଗ କରିନାହିଁ। ୮ ଘଣ୍ଟାର ପଚରାଉଚରା ଅଧିବେଶନରେ ମଧ୍ୟ ସେ ସଠିକ୍ ଉତ୍ତର ଦେଇନାହିଁ। ପ୍ରକାଶ, ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲିର ଘନିଷ୍ଠ ସହଯୋଗୀ ରାଣାକୁ ଚଳିତ ମାସ ୪ ତାରିଖରେ ପ୍ରତ୍ୟର୍ପଣ ବିରୋଧରେ ଆମେରିକାର ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ୍ ଖାରଜ କରିବା ପରେ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା। ରାଣାର ପ୍ରତ୍ୟର୍ପଣ ୨୦୦୮ ମୁମ୍ବାଇ ଆକ୍ରମଣର ତଦନ୍ତ କରୁଥିବା ଏଜେନ୍ସିଗୁଡିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା। ସୂଚନାଯୋଗ୍ୟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା। ହେଡ୍ଲି ଏବଂ ରାଣା ସ୍କୁଲ ଦିନରୁ ବନ୍ଧୁ ଥିଲେ। ପରେ ହେଡ୍ଲି ସ୍ୱୀକାର କରିଥିଲା ଯେ ସେ ଲସ୍କର-ଏ-ତୋଇବା ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା। ସେହିପରି ତହବୁର ହୁସୈନ ରାଣା ମଧ୍ୟ ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ। ସେ ୧୨ ଫେବୃଆରୀ ୧୯୬୧ ମସିହାରେ ପଞ୍ଜାବ (ପାକିସ୍ତାନ)ର ଚିଚାୱଟନୀରେ ଜନ୍ମଗ୍ରହଣ କରିଥିଲା। ସେ ପାକ୍ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲା। ଅବସର ପରେ ସେ ନିଜ ପତ୍ନୀ ସହ ଚିକାଗୋ (ଆମେରିକା) ସହରରେ ରହୁଥିଲା ଓ ପରେ ସେ କାନାଡିୟ ନାଗରିକତା ହାସଲ କରିଥିଲା। ହେଡ୍ଲି ସହ ସଂସ୍ପର୍ଶରେ ଆସି ସେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ହୋଇଯାଇଥିଲା।