ଖୋର୍ଦ୍ଧା: ଗତ ୨୫ ତାରିଖ ମଧ୍ୟାହ୍ନରେ ଖୋର୍ଦ୍ଧା ଜଟଣୀ ରୋଡ ଚାଚେରା ଶବରସାହିର ଏକ ଗ୍ୟାରେଜ ନିକଟରେ ଖଣ୍ଡାରେ ମହମ୍ମଦ ସାଜିଦକୁ ହତ୍ୟା କରିବା ଘଟଣାରେ ପୁଲିସ ପୋଡାସାହି ର ବିଶ୍ୱଜିତ ମହାରଣା ଓରଫ ମିକିନା(୨୩), ମୁକେଶ ସେଠୀ ଓରଫ ଟିମର(୨୬) ଏବଂ ଆଶିଷ ପଟ୍ଟନାୟକ ଓରଫ ଆକାଶ (୨୦) ପ୍ରମୁଖ ୩ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ୨ଟି ଖଣ୍ଡା, ଏକ ବାଇକ, ମୋବାଇଲ ଫୋନ, ହତ୍ୟାରେ ବ୍ୟବହୃତ ଅନ୍ୟ ସାମଗ୍ରୀ କୁ ପୁଲିସ ଜବତ କରିଛି ।
ଘଟଣାରୁ ପ୍ରକାଶ, ମୃତକ ସାଜିଦ ସହ ମିକିନା, ଟିମର ଓ ଆକାଶ ର ପୂର୍ବରୁ ଶତୃତା ରହିଥିଲା ।ସାଜିଦ କୁ ହତ୍ୟା କରିବା ଲାଗି ଅଭିଯୁକ୍ତମାନେ ଯୋଜନା କରିଥିଲେ । ଗତ ୨୫ ତାରିଖ ଦିନ ୧୨ଟା ସମୟରେ ମିକିନା ସାଜିଦ କୁ କୌଣସି ବ୍ୟବସାୟିକ ଆଲୋଚନା ପାଇଁ କାରମେଲ ସ୍କୁଲ ନିକଟକୁ ଆସିବାକୁ ଫୋନ କରି ଡାକିଥିଲା । ସାଜିଦ ଉକ୍ତ ସ୍ଥାନରେ ପହଁଚିବାବେଳକୁ ମିକିନା, ଟିମର ଓ ଆକାଶ ସେଠାରେ ଥିଲେ । ସେଠାରୁ ସାଜିଦ କୁ ଗୋଡାଇ ଗୋଡାଇ ଅକ୍ତର ଗ୍ୟାରେଜ ନିକଟରେ ଆକ୍ରମଣ କରିଥିଲେ । ପରେ ସେଠାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସାଜିଦ କୁ ମେଡିକାଲ ରେ ଭର୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଭାଇ ମହମ୍ମଦ ମୋହତାରାମଙ୍କ ଅଭିଯୋଗ କ୍ରମେ ପୁଲିସ ୧୯୦/୨୪ରେ ଏକ ମାମଲା ରୁଜୁ କରି ୪ଟି ଟିମ କରି ତଦନ୍ତ କରିଥିଲା । ତେବେ ଅଣ୍ଡା ବାଜପୁର କାଜୁ ବଗିଚାରେ ଅଭିଯୁକ୍ତମାନେ ଲୁଚିଥିବା ଖବର ପାଇ ପୁଲିସ ଚଢଉ କରି ସେଠାରୁ ସେମାନଙ୍କୁ ଗିରଫ କରିଛି । ଗିରଫ ମୁକେଶ ନାଁ ରେ ଖୋର୍ଦ୍ଧା ଆଦର୍ଶ ଥାନାରେ ୨ଟି ଓ ଶିଳ୍ପାଂଚଳ ଥାନାରେ ୨ଟି ମାମଲା ରହିଛି । ମିକିନା ନାଁ ରେ ଖୋର୍ଦ୍ଧା ଆଦର୍ଶ ଥାନାରେ ୨ଟି ମାମଲା ରହିଛି । ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ଲାଗି ପୁଲିସ ରିମାଣ୍ଡରେ ଆଣିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅବିନାଶ କୁମାର ସୂଚନା ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଓ ଶ୍ରୀନିବାସ ମହାନ୍ତି, ଭାରପ୍ରାପ୍ତ ଏସଡିପିଓ ଅନୀଲ ମହାନ୍ତି, ତାରିକ ଅହମ୍ମଦ, ଶିଳ୍ପାଂଚଳ ଥାନା ଅଧିକାରୀ ଗାୟତ୍ରୀ ମିଶ୍ର, ଏସଆଇ ଜୟନ୍ତ ଭଟ୍ଟ, ବାସୁଦେବ ଜୟସିଂ, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।