ନୂଆଦିଲ୍ଲୀ: ଜାତିସଂଘର ସାଂସ୍କୃତିକ ସଂଗଠନ ୟୁନେସ୍କୋ ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦେଇଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶ୍ୱର ଅଧିକାଂଶ ଐତିହ୍ୟ ସ୍ଥଳ ଗୁରୁତର ବିପଦରେ ଅଛି । ବିଶ୍ୱ ଐତିହ୍ୟ ସ୍ଥଳଗୁଡ଼ିକ, ଯାହା ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ ଭାବେ ବିବେଚିତ, ତାପମାତ୍ରା ବୃଦ୍ଧି, ସମୁଦ୍ର ପତ୍ତନ ବୃଦ୍ଧି, ଏବଂ ଅତ୍ୟଧିକ ପାଗ ପରିବର୍ତ୍ତନ ଯୋଗୁଁ କ୍ଷତିଗ୍ରସ୍ତ ହେବାର ଆଶଙ୍କାରେ ରହିଛି । ୟୁନେସ୍କୋର ଏହି ତଥ୍ୟ ଅନୁସାରେ, ବିଶ୍ୱବ୍ୟାପୀ ୧୧୫୪ଟି ବିଶ୍ୱ ଐତିହ୍ୟ ସ୍ଥଳ ମଧ୍ୟରୁ ପ୍ରାୟ ୭୦% ସ୍ଥଳ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିପଦରେ ଅଛି । ଏହି ସ୍ଥଳଗୁଡ଼ିକରେ ଐତିହାସିକ ନଗରୀ, ପୁରାତନ ମନ୍ଦିର, ପ୍ରାଚୀନ ସହର ଏବଂ ପ୍ରାକୃତିକ ସମ୍ପଦ ଅନ୍ତର୍ଭୁକ୍ତ । ମୁଖ୍ୟତଃ ଏହି ସ୍ଥଳଗୁଡ଼ିକ ମରୁଡ଼ି, ବନ୍ୟା, ଭୂସ୍ଖଳନ, ଏବଂ ଅତ୍ୟଧିକ ଗରମ ପାଗ ଯୋଗୁଁ କ୍ଷତିଗ୍ରସ୍ତ ହେଉଛି ।
ୟୁନେସ୍କୋ ଏଠାରେ କେତେକ ଉଦାହରଣ ମଧ୍ୟ ଦେଇଛି । ଯେପରିକି ଇଟାଲୀର ଭେନିସ୍ ଭଳି ଐତିହାସିକ ନଗର ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ବାରମ୍ବାର ବନ୍ୟାରେ ଜଳମଗ୍ନ ହେଉଛି, ଯାହା ଏହାର ପୁରାତନ ସ୍ଥାପତ୍ୟକୁ କ୍ଷତି ପହଞ୍ଚାଉଛି । ଜୋର୍ଡାନ୍ର ପେଟ୍ରା ସହର ମଧ୍ୟ ମରୁଡ଼ି ଏବଂ ଅତ୍ୟଧିକ ତାପମାତ୍ରା ଏହି ପ୍ରାଚୀନ ସହରର ପଥର ନିର୍ମିତ ସ୍ମାରକୀଗୁଡ଼ିକୁ ନଷ୍ଟ କରୁଛି । ମେକ୍ସିକୋର ଚିଚେନ୍ ଇଟ୍ଝା ସହ ଅସାମୟିକ ଅତ୍ୟଧିକ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁ ବିପଦରେ ରହିଛି । ସେହିପରି ସୁନ୍ଦରବନ, ଭାରତ-ବାଂଲାଦେଶ ଅଞ୍ଚଳ ମଧ୍ୟ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବାତ୍ୟା ଯୋଗୁଁ ଏହାର ଜୈବବିବିଧତା ହରାଇବା ଦ୍ୱାରଦେଶରେ ଉପନୀତ ହୋଇଛି । ଏହିପ୍ରକାର ବିଶ୍ୱସ୍ତରରେ ପ୍ରାୟ ୮୦୦ରୁ ଅଧିକ ଐତିହ୍ୟ ସ୍ଥଳ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ୟୁନେସ୍କୋ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ଅନୁଷ୍ଠାନର ଗବେଷଣା ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି, ଯାହା ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ, ଯଥା କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ୍ର ବୃଦ୍ଧି ଦ୍ୱାରା ପ୍ରଭାବିତ । ଭାରତରେ ଅନେକ ବିଶ୍ୱ ଐତିହ୍ୟ ସ୍ଥଳ, ଯଥା ତାଜମହଲ, କୋଣାର୍କ ମନ୍ଦିର ଆଦି ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଯୋଗୁଁ ଏହି ସ୍ଥଳଗୁଡ଼ିକରେ କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଉଛି ।