ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର୍ ଏବଂ ପାକିସ୍ତାନର ପୂର୍ବତନ କୋଚ୍ ମୋର୍ନେ ମୋର୍କେଲ୍ ଟିମ୍ ଇଣ୍ଡିଆ ବୋଲିଂ କୋଚ୍ ଦୌଡ଼ରେ ସାମିଲ ହୋଇଛନ୍ତି । ମୋର୍କେଲ୍ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ହୁଅନ୍ତୁ ବୋଲି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଚାହାନ୍ତି । କ୍ରିକ୍ବଜ୍ ରିପୋର୍ଟ ଅନୁସାରେ ମୋର୍କେଲ୍ଙ୍କ ନାମ ବୋଲିଂ କୋଚ୍ ପଦ ପାଇଁ ବିଚାର କରିବାକୁ ଗମ୍ଭୀର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଛନ୍ତି । ଏ ନେଇ ମୋର୍କେଲ୍ଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଗମ୍ଭୀର ଏବଂ ମୋର୍କେଲ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ (ଏଲ୍ଏସ୍ଜି)ରେ ଏକାଠି କାମ କରିଛନ୍ତି । ଗମ୍ଭୀର ଦୁଇବର୍ଷ ଏଲ୍ଏସ୍ଜିର ମେଣ୍ଟର ରହିଥିବା ବେଳେ ମୋର୍କେଲ୍ ଏବେ ବି ବୋଲିଂ କୋଚ୍ ଅଛନ୍ତି ।
ମୋର୍ନେ ମୋର୍କେଲ୍ ୨୦୦୬ରୁ ୨୦୧୮ ମଧ୍ୟରେ ଅନ୍ତର୍ଜାତୀୟ କ୍ୟାରିୟର୍ରେ ୮୬ ଟେଷ୍ଟ୍, ୧୧୭ ଦିନିକିଆ ଏବଂ ୪୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମୋର୍କେଲ୍ଙ୍କ ବ୍ୟତୀତ ଭାରତୀୟ ଟିମ୍ର ପୂର୍ବତନ ଫାଷ୍ଟ୍ ବୋଲର୍ ଜାହିର ଖାନ୍, ଲକ୍ଷ୍ମୀପତି ବାଲାଜୀ ଏବଂ ବିନୟ କୁମାରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ବିସିସିଆଇ ଏହି ତିନିଜଣଙ୍କ ନାମ ବିଚାରକୁ ମଧ୍ୟ ନେଇଛି । ତେବେ ବୋର୍ଡ ପକ୍ଷରୁ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ।