ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧାରୁ ଅଧିକ ପିଲା ହରଣ କରିପାରୁ ନାହାନ୍ତି । ତେବେ ଜାତୀୟ ସ୍ତରରେ ଅଷ୍ଟମ ଶ୍ରେଣୀ ପିଲାଙ୍କର ଏହି ହାର ଅଧିକ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଅସର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୨୪ ମସିହାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୪୮.୫ ପ୍ରତିଶତ ହରଣ କରିପାରୁଛନ୍ତି ।
ଜାତୀୟ ସ୍ତରରେ ଏହି ହାର ୪୫.୮ ପ୍ରତିଶତ ରହିଛି । ତେବେ ଓଡିଶାରେ ୨୦୧୪ ମସିହାରେ ଅଷ୍ଟମଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୩୭.୯ ପ୍ରତିଶତ ପିଲା ହରଣ କରିପାରୁଥିଲେ । ବର୍ଷକୁ ବର୍ଷ ସେମାନଙ୍କ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହିତ ଗତ ୧୦ବର୍ଷରେ ଏହା ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହାଛଡା ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀଙ୍କମାନଙ୍କ ନିମନ୍ତେ ଓଡିଆ, ଗଣିତ, ଇଂରାଜୀ ବିଷୟରେ କାର୍ଯ୍ୟପୁସ୍ତିକା ଯୋଗାଇ ଦିଆଯାଇ ଅଭ୍ୟାସ କରାଯାଉଅଛି । ଅଷ୍ଟମଶ୍ରେଣୀ ପିଲା, ଯେଉଁମାନେ ଫେଡାଣ ସମାଧାନ କରିପାରୁଛନ୍ତି ସେମାନଙ୍କ ସଂଖ୍ୟା ବିଗତ ଏକ ଦଶକରେ ପାୟ ୬ ପ୍ରତିଶତ ବଢିଛି । ଏ କ୍ଷେତ୍ରରେ ମଧ୍ୟ ଓଡିଶାର ଛାତ୍ରଛାତ୍ରୀମାନ ଜାତୀୟ ସ୍ତରଠାରୁ ଉପରେ ରହିଛନ୍ତି ।