-ପ୍ରତିରକ୍ଷା, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା
-ଆଜି ଟେକ୍ କମ୍ପାନୀ ମୁଖ୍ୟ ତଥା ସିଇଓଙ୍କ ସହ ଗୋଲ୍ ଟେବୁଲ୍ ବୈଠକ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଆୟୋଜିତ ହେଉଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ସହ ବୁଧବାର ଦ୍ୱିପାକ୍ଷିକ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସକାଳେ ହାଇଦ୍ରାବାଦ ହାଉସରେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ସହ ଏକ ବୈଠକ କରିଛନ୍ତି। ଉଭୟ ନେତା ଭାରତ-ସ୍ପେନ୍ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୀତି, ଡିଜିଟାଲ୍ ନବସୃଜନ, ସ୍ୱାସ୍ଥ୍ୟ, ଜଳବାୟୁ କାର୍ଯ୍ୟ ଏବଂ ଶିକ୍ଷା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ୟୁପିଆଇ ସମ୍ପର୍କକୁ ଦୃଢ଼ କରିବା ପାଇଁ ସ୍ପେନର ନିରନ୍ତର ସମର୍ଥନ ପାଇଁ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ମୋଦୀ କହିଛନ୍ତି ଯେ ସେ ଏବଂ ସାଞ୍ଚେଜ୍ ପରସ୍ପର ସହ ଭାରତ-ସ୍ପେନ୍ ବନ୍ଧୁତାକୁ ବୃଦ୍ଧି କରିବା ପାଇଁ, ବିଶେଷକରି ପ୍ରତିରକ୍ଷା, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା କରିଛନ୍ତି। ମୋଦୀଙ୍କ କହିବାନୁସାରେ ୟୁରୋପୀୟ ସଂଘ ସହିତ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ପେନ ସହିତ ଆର୍ôଥକ ସହଭାଗୀତା ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଉଭୟ ଦେଶର ଲୋକଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ। ଉଭୟ ଦେଶ ୨୦୨୬ କୁ ଭାରତ-ସ୍ପେନ୍ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଆଇ ବର୍ଷ ଭାବରେ ପାଳନ କରୁଛନ୍ତି। ଏହା ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଫିନ୍ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଆଣ୍ଟି ପେଟେରି ଓର୍ପୋଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଉଭୟ ନେତା ସ୍ଥାୟୀତ୍ୱ ଏବଂ ଡିଜିଟାଲାଇଜେସନ୍, ଏଆଇ ଗବେଷଣା, ନୈତିକ ନବସୃଜନ ଏବଂ ଭାରତୀୟ ପ୍ରତିଭା ଦ୍ୱିପାକ୍ଷିକ ସହଯୋଗକୁ କିପରି ମଜବୁତ କରିପାରିବ ସେସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏଆଇରେ ଏକ ଉଦୀୟମାନ ନବସୃଜନ ଖେଳାଳି ଭାବରେ ଫିନଲ୍ୟାଣ୍ଡର ପ୍ରୟାସକୁ ପ୍ରଶଂସା କରିଥିଲେ। ଦୁଇ ନେତା ଦାୟିତ୍ୱପୂର୍ଣ୍ଣ, ପ୍ରତିଭା-ଚାଳିତ ଏଆଇକୁ ଆଗକୁ ବଢାଇବା ଏବଂ ଏକ ନିରନ୍ତର ଭବିଷ୍ୟତ ପାଇଁ ପ୍ରଯୁକ୍ତି-ସକ୍ଷମ ସମାଧାନ ବ୍ୟବହାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବଂ ଫିନଲ୍ୟାଣ୍ଡ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ଫଳରେ ଅର୍ଥନୈତିକ ସମ୍ପର୍କକୁ ଏକ ଦୃଢ଼ ପ୍ରୋତ୍ସାହନ ମିଳିବ। ସେମାନେ ୬ଜି, ନବସୃଜନ, ସ୍ୱଚ୍ଛ ଶକ୍ତି, ଜୈବ ଇନ୍ଧନ ଏବଂ ବୃତ୍ତାକାର ଅର୍ଥନୀତି ଭଳି ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ବୃଦ୍ଧି କରିବା ବିଷୟରେ ମଧ୍ୟ କଥା ହୋଇଥିଲେ। ପରେ ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡର ଭୁସିକଙ୍କ ସହିତ ମଧ୍ୟ ମୋଦୀ ଆଲୋଚନା କରିଥିଲେ। ବାଣିଜ୍ୟ ଏବଂ ନିବେଶ, ଏଆଇ, ଫିନ୍ଟେକ୍, ଶିକ୍ଷା, କୃଷି, ପର୍ଯ୍ୟଟନ ଏବଂ ଲୋକ-ଲୋକଙ୍କ ମଧ୍ୟରେ ଆଦାନପ୍ରଦାନରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିଥିଲେ। ସେମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଏବଂ ସର୍ବିଆ ଦୀର୍ଘକାଳୀନ ବନ୍ଧୁ ଏବଂ ଏହି ସମ୍ପର୍କ ଲୋକଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଦ୍ୱାରା ପ୍ରତିଷ୍ଠିତ।
ଏମାନଙ୍କ ବ୍ୟତୀତ ମୋଦୀ ଆଜି ଦିନରେ କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ୍ ପ୍ଲେଙ୍କୋଭିକ୍, ଏଷ୍ଟୋନିଆ ରାଷ୍ଟ୍ରପତି ଆଲାର କାରିସ୍, କାଜାକ୍ସ୍ତାନ ପ୍ରଧାନମନ୍ତ୍ରୀ ଓଲିଜାସ ବେକ୍ଟେନୋଭ, ଭୁଟାନ ପ୍ରଧାନମନ୍ତ୍ରୀ ସେରିଂ ଟୋବଗେଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବିଶ୍ୱସ୍ତରୀୟ ନେତାମାନେ ଭାରତ ସହ ସେମାନଙ୍କ ସମ୍ପର୍କର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବା ସହ ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ଆହୁରି ସହଯୋଗ ଏବଂ ବିକାଶ ସହଭାଗୀତା ତତା ଲୋକ-ଲୋକ ସମ୍ପର୍କକୁ ଗଭୀର କରିବାର ସମ୍ଭାବନାକୁ ଗୁରୁତ୍ୱ ଦେଇଛନ୍ତି। ନିଯୁକ୍ତି ସୁଯୋଗ, ଆର୍ଥିକ ଲାଭ, ବ୍ୟବସାୟିକ, ପ୍ରତିରକ୍ଷା-ସୁରକ୍ଷା, ପର୍ଯ୍ୟଟନ-ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସଂଯୋଗୀକରଣ, ଶକ୍ତି ଆଦି ବିଭିନ୍ନ ଦିଗ ଉପରେ ପାରସ୍ପରିକ ସହଯୋଗ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ମୋଦୀଙ୍କ ସହ ଆଲୋଚନା କାଳରେ ସମସ୍ତ ରାଷ୍ଟ୍ରମୁଖ୍ୟମାନେ ଭାରତ ସହ ସମସ୍ତ କ୍ଷେତ୍ରରେ ରଣନୈତିକ ସହଭାଗୀତାକୁ ମଜବୁତ କରିବା ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଉପାୟ ଉପରେ ଆଲୋଚନା କରିଥିବା ସୂଚନା ମିଳିଛି।ଅନ୍ୟ ଏକ ରିପୋର୍ଟ ଅନୁସାରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ମଧ୍ୟ ଭେଟିଥିଲେ, ଯିଏ ଭାରତ ଏଆଇ ପ୍ରଭାବ ସମ୍ମିଳନୀରେ ଯୋଗଦେବା ପାଇଁ ମଧ୍ୟ ନୂଆଦିଲ୍ଲୀରେ ଏବେ ଡେରା ପକାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ, ଶ୍ରୀ ମୋଦୀ କହିଛନ୍ତି ଯେ ସେମାନେ ଏଆଇରେ ଭାରତ କରୁଥିବା କାର୍ଯ୍ୟ ଏବଂ ଏହି କ୍ଷେତ୍ରରେ ଭାରତର ପ୍ରତିଭାବାନ ଛାତ୍ର ଏବଂ ବୃତ୍ତିଗତମାନଙ୍କ ସହିତ ଗୁଗୁଲ୍ କିପରି କାମ କରିପାରିବ ସେସମ୍ପର୍କରେ କଥା ହୋଇଥିଲେ।










