28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଲୋକସଭାରେ ମୋଦୀ-ରାହୁଲ ବାକ୍‌ଯୁଦ୍ଧ

ଲୋକସଭାରେ ମୋଦୀ-ରାହୁଲ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ସଂସଦୀୟ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ଖରାପ ହୋଇଥିବା ବେଳେ ୨ୟ ସପ୍ତାହରେ ଅନ୍ତତଃ ଗୃହ ସ୍ୱାଭାବିକ ଭାବେ ପରିଚାଳିତ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ବିରୋଧୀ ନିଟ୍ (ୟୁୂଜି) ପରୀକ୍ଷା ସହ କେନ୍ଦ୍ର ସରକାରଙ୍କ ନୂଆ ଅପରାଧିକ ଆଇନ୍‌କୁ ନେଇ ଆଜି ମଧ୍ୟ ସଂସଦର ଉଭୟ ଗୃହରେ ତୁମ୍ବିତୋଫାନ୍ କରିଛନ୍ତି । ଫଳରେ ଗୃହକାର୍ଯ୍ୟ ଅଧିକାଂଶ ସମୟ ଧରି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆଜି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ (ୟୁଜି) ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରସଙ୍ଗ ସହ ଦେଶରେ ଆଜି ତାରିଖରୁ ଲାଗୁ ହୋଇଥିବା ୩ ନୂଆ କ୍ରିମିନାଲ ଲ’ (ଅପରାଧିକ/ଫୌଜଦାରୀ ଆଇନ) ସହ ଅଗ୍ନିବୀର ଯୋଜନା ଉପରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ରାହୁଲ ଗୃହରେ ଭଗବାନ ଶିବ, ରାମଙ୍କ ଫଟୋ ଦେଖାଇ ଶାସକ ବିଜେପି ଓ ବିଜେପିର ଆଦର୍ଶ ଆରଏସ୍‌ଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)କୁ ରାମଭକ୍ତ କିମ୍ବା ପ୍ରକୃତ ହିନ୍ଦୁ ନୁହଁନ୍ତି ବୋଲି ଉଲ୍ଲେଖ କରିଥିଲେ । ରାହୁଲ ଏକ ଘଟଣାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ରାହୁଲ କହିଥିଲେ ଏମାନେ ଯଦି ପ୍ରକୃତରେ ହିନ୍ଦୁ ହୋଇଥାନ୍ତେ ତେବେ ଦେଶରେ ଘୃଣା ଏବଂ ହିଂସାର ବାତାବରଣ ସୃଷ୍ଟି କରୁନଥାନ୍ତେ । କାରଣ ପ୍ରକୃତ ହିନ୍ଦୁ କଦାପି ଏସବୁ କରିନଥାଏ । ତେବେ ରାହୁଲଙ୍କ ଏପ୍ରକାର ବିବୃତ୍ତି ତଥା ଆଚରଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଚୌକିରୁ ଉଠି ତୀବ୍ର ପ୍ରତିବାଦ ଜଣାଇଥିଲେ । ପରେ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ଅଗ୍ନିବୀର ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ରାହୁଲ, ଗୃହରେ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ, ରାହୁଲଙ୍କ ଏପ୍ରକାର ବୟାନ୍‌କୁ ହିନ୍ଦୁ ବିରୋଧୀ ତଥା ଦେଶର କୋଟି କୋଟି ହିନ୍ଦୁଙ୍କୁ ଅପମାନିତ କରିବା ଭଳି ହୋଇଥିବା କହିଛନ୍ତି ।

ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ପରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ନୂଆ ଅପରାଧିକ ଆଇନ୍ ବିରୋଧରେ ହୋହଲ୍ଲା କରିଥିଲେ । ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ । ଅନ୍ୟ କିଛି ବିରୋଧୀ ସାଂସଦ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ବିରୋଧରେ ବିକ୍ଷୋଭ କରିଥିଲେ । ରାଜ୍ୟସଭାରେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ ଏସବୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନ୍‌ଖଡ ତାଙ୍କୁ ବାରମ୍ବାର ଶାନ୍ତ ରହିବାକୁ କହିଥିଲେ ମଧ୍ୟ ସେ କିମ୍ବା ବିରୋଧୀ ଦଳର ଅନ୍ୟ କୌଣସି ସଦସ୍ୟ ତାଙ୍କ କଥା ଶୁଣିନଥିଲେ । ପ୍ରକାଶ, ସାଂସଦ ରାହୁଲ ଗାନ୍ଧୀ ନିଟ୍ ଅନିୟମିତା ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ କହିଥିଲେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବା ପରେ ସବୁବେଳେ ଆଲୋଚନା ହୁଏ । ତଦନୁଯାୟୀ ଆଲୋଚନା ହେବ । ନିଟ୍ ପ୍ରସଙ୍ଗରେ ସରକାରଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ । ତଥାପି ବିରୋଧୀ ଶାନ୍ତ ହୋଇ ନ ଥିଲେ । ବିରୋଧୀମାନେ ହୋହଲ୍ଲା କରୁଥିବାବେଳେ ବାଚସ୍ପତି ଓମ୍ ବିର୍ଲା, ରାହୁଲଙ୍କ ମାଇକ୍ ବନ୍ଦ ଅଭିଯୋଗ ଉପରେ କହିଥିଲେ ଯେ, ଗୃହ ବାହାରେ କିଛି ସାଂସଦ ଅଭିଯୋଗ କରୁଛନ୍ତି ଯେ, ବାଚସ୍ପତି ମାଇକ୍ ବନ୍ଦ କରିଦେଉଛନ୍ତି । କିନ୍ତୁ ମାଇକ୍‌ର ନିୟନ୍ତ୍ରଣ ତାଙ୍କ ହାତରେ ନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking