-ଏକ ଅନୁଷ୍ଠାନରେ ପରିଣତ ହୋଇଛି ରୋଜଗାର ମେଳା: ପ୍ରଧାନମନ୍ତ୍ରୀ
-ଭାରତ ବିଶ୍ୱର ସବୁଠୁ ଯୁବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ
-ନିଯୁକ୍ତି ପତ୍ର ଏକ ପ୍ରକାରେ ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର
ନୂଆଦିଲ୍ଲୀ: ନିଯୁକ୍ତିପତ୍ର ପାଇଲେ ନବନିଯୁକ୍ତ ଯୁବକ, ଯୁବତୀ। ୬୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିଲା ଚାକିରି। ଶନିବାର ୧୮ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତଙ୍କୁ ଟିପ୍ପ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମୟ ତୁମଙ୍କୁ ସମ୍ବିଧାନ ପ୍ରତି ଆପଣଙ୍କର ଦାୟିତ୍ୱର ନିକଟତର କରୁଛି। ୨୪ ଜାନୁଆରୀରେ ଆମର ସମ୍ବିଧାନ ‘ଜନ ଗଣ ମନ’କୁ ଜାତୀୟ ସଙ୍ଗୀତ ଭାବରେ ଏବଂ ‘ବନ୍ଦେ ମାତରମ’କୁ ଜାତୀୟ ଗୀତ ଭାବରେ ଗ୍ରହଣ କରିଛି । ଏହି ନିଯୁକ୍ତି ପତ୍ର ଏକ ପ୍ରକାରେ, ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର । ଏହା ଏକ ବିକଶିତ ଭାରତ ଆଡ଼କୁ ଦିଗଦର୍ଶନ ଦେବା ପାଇଁ ଏକ ‘ସଂକଳ୍ପ ପତ୍ର’। ନିଯୁକ୍ତିପତ୍ର ବାଣ୍ଟି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଗତ ୫-୭ ବର୍ଷ ମଧ୍ୟରେ ଯେତେବେଳେ ଆପଣ ସରକାରଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ, ତାହା ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ଅନ୍ୟ କୌଣସି ଉପାୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ କିମ୍ବା କିଛି ତ୍ରୁଟି ଲକ୍ଷ୍ୟ କରିଥିଲେ। ସେହି ସମୟ ବିଷୟରେ ଚିନ୍ତା କରନ୍ତୁ। ଏବେ ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣଙ୍କ ସରକାରରେ କାର୍ଯ୍ୟକାଳ ମଧ୍ୟରେ ଆପଣଙ୍କୁ ଅସୁବିଧା ସୃଷ୍ଟି କରୁଥିବା ସମସ୍ତ ଜିନିଷ ଅନ୍ୟ କାହାକୁ କଷ୍ଟ ନ ଦେଉ। ସରକାରଙ୍କ ଅଂଶ ହୋଇଥିବାରୁ, ଆପଣଙ୍କୁ ଆପଣଙ୍କ ସ୍ତରରେ ଛୋଟ ଛୋଟ ସଂସ୍କାର ସୁନିଶ୍ଚିତ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।
ଏହାଛଡ଼ା ମୋଦୀ କହିଛନ୍ତି ଯେ, ଆଜିର ଦିନରେ ପ୍ରାୟ ୬୧ ହଜାର ଯୁବକଯୁବତୀ ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ ସହ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବେ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବେ, ଆର୍ôଥକ ସେବାକୁ ସଦୃଢ଼ କରିବେ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଯୁବପିଢ଼ିଙ୍କୁ ଦକ୍ଷତା ସହିତ ଯୋଡ଼ିବା ଏବଂ ସେମାନଙ୍କୁ ନିଯୁକ୍ତି ତଥା ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବା ସରକାରଙ୍କ ପାଇଁ ପ୍ରାଥମିକତା ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସରକାରୀ ନିଯୁକ୍ତିକୁ ଏକ ମିଶନ ମୋଡରେ ରଖିବା ପାଇଁ ଏହି ରୋଜଗାର ମେଳା ଆରମ୍ଭ କରାଯାଇଥିଲା ଏବଂ ଗତ କିଛି ବର୍ଷ ଧରି ଏହା ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଏହି ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପତ୍ର ପାଇଛନ୍ତି। ଆଜି ସାରା ଦେଶରେ ଚାଳିଶରୁ ଅଧିକ ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଭାରତ ଆଜି ବିଶ୍ୱର ଯୁବ ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଏବଂ ସରକାର ଘରୋଇ ତଥା ବିଶ୍ୱ ସ୍ତରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ଭାରତ ସରକାର ଅନେକ ଦେଶ ସହିତ ବାଣିଜ୍ୟ ଏବଂ ପରିବହନ ଚୁକ୍ତି ସ୍ୱାକ୍ଷର କରୁଛନ୍ତି, ଯାହା ଭାରତୀୟ ଯୁବକଯୁବତୀମାନଙ୍କ ପାଇଁ ଅଗଣିତ ନୂତନ ସୁଯୋଗର ଦ୍ୱାର ଖୋଲି ଦେଉଛି।










