31.1 C
Bhubaneswar
Wednesday, March 18, 2026
Homeଓଡିଶା୫ ମାସ ପରେ ନିଖୋଜ ନାବାଳକ ଉଦ୍ଧାର

୫ ମାସ ପରେ ନିଖୋଜ ନାବାଳକ ଉଦ୍ଧାର

ଡେଲାଙ୍ଗ: ଡେଲାଙ୍ଗ ଥାନା ଅଧୀନ କୁଞ୍ଜର ଗ୍ରାମର ୨ ନାବାଳକ ୨୦୨୫ ସେପ୍ଟେମ୍ବର ୩୦ ତାରିଖରେ ନିଖୋଜ ହୋଇଯାଇଥିବା ବେଳେ ଡେଲାଙ୍ଗ ପୁଲିସ ୨ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଛି। ଏନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଚ୍ଚିନ ପଟେଲଙ୍କ ଅଧ୍ୟକ୍ଷତାରେ ଶନିବାର ଡେଲାଙ୍ଗ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଅଧିକାରୀ ଶ୍ୟାମଘନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ କହିବା ମୁତାବକ ଘରୁ ରାଗିଯାଇ ପିଲା ଦୁହେଁ ରେଳ ଯୋଗେ ଡେଲାଙ୍ଗରୁ ଭୂବନେଶ୍ୱର ଓ ଭୂବନେଶ୍ୱରରୁ ଭିଶାଖାପାଟଣାମ ଯାଉଥିବା ବେଳେ ହାଇଦ୍ରାବାଦ ଅଞ୍ଚଳର ଜଣେ ଯୁବକ ସହିତ ସେମାନଙ୍କ ପରିଚୟ ସୃଷ୍ଟି ହୋଇଥିଲା। ନାବାଳକ ଦୁହେଁ ସେମାନଙ୍କ ପରିଚୟ ଲୁଚାଇବା ସହିତ ନିଜକୁ ଅନାଥ ବୋଲି କହିଥିଲେ। ପରେ ଉକ୍ତ ଯୁବକ ଜଣକ ସେମାନଙ୍କୁ ହାଇଦ୍ରାବାଦରେ କାମ କରିବାକୁ କହି ସାଙ୍ଗରେ ନେଇଯାଇଥିଲା।

ସେଠାରେ ଜଣକୁ ସପିଂ ମଲରେ ଛାଡ଼ିଦେଇ ଅନ୍ୟ ଜଣକୁ ନିଜ ଘରକୁ ନେଇ ଚାଲିଯାଇଥିବା ପୁଲିସ ସୂଚନା ଦେଇଛି। ସେଠାରେ ନାବାଳକ ଜଣକ କାକୁତି ମିନତୀ ହେବା ସହିତ ମୁଁ ଅନାଥ ନୁହେଁ ବୋଲି କହିଥିଲା ଏବଂ ନିଜର ପରିଚୟ ପ୍ରଦାନ କରି ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ନେହୁରା ହୋଇଥିଲା। ହେଲେ ବ୍ୟକ୍ତି ଜଣକ ନାବାଳକଙ୍କ କଥା ନଶୁଣି ତାଙ୍କୁ ଏକ ହଷ୍ଟେଲରେ ଛାଡ଼ିଦେଇଥିଲା। କିଛିଦିନ ପରେ ନାବାଳକଙ୍କ ପାଖକୁ ଆସି ତିରୁପତିରେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କହି ହଷ୍ଟେଲ୍‌ରୁ ସାଙ୍ଗରେ ନେଇ ରେଳରେ ଯାଉଥିବା ସମୟରେ ନାବାଳକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟକ୍ତି ଜଣକ ଶୋଇଥିବା ବେଳେ ଏକ ରେଳ ଷ୍ଟେସନରେ ଓହ୍ଲାଇପଡ଼ିଥିଲେ। ସେଠାରେ ଟିଟିଆଇ ଟିକଟ ତନଖି କରୁଥିବା ସମୟରେ ତାଙ୍କୁ ଧରିପକାଇ ପଚରାଉଚରା କରିଥିଲେ। ନାବାଳକଠାରୁ ସମସ୍ତ ଘଟଣା ବୁଝିବା ପରେ ଟିଟିଆଇ ଜଣକ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ବାରିକ ଘଟଣା ସମ୍ପର୍କରେ ଅବଗତ ହୋଇ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ଜଣେ ନାବାଳକର ପୁଲିସ କୌଣସି ଟେର ପାଇପାରିନଥିଲା।

ଡେଲାଙ୍ଗ ଆସିବା ପରେ ଉଦ୍ଧାର ନାବାଳକକୁ ପଚରାଉଚରା କରି ପୁଲିସ ଉକ୍ତ ବ୍ୟକ୍ତି ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ତାକୁ ଧରିବାକୁ ହାଇଦ୍ରାବାଦ୍ ଯାଇଥିଲା। ସେଠାରେ ତଦନ୍ତ କରି ଦାମୁଲଗୁଡା ହ୍ୟୁମାନ ନଗର ଅଞ୍ଚଳର ଏମ୍‌. ମହେଶ ରାଜ ଓ ଏମ. ମଲ୍ଲେଶ ରାଓ ନାମକ ୨ଜଣକୁ ଗିରଫ କରି ଡେଲାଙ୍ଗ ଆଣି ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଜଣକୁ ସେ ଏକ ସପିଂ ମଲରେ ଛାଡ଼ିଦେଇଥିବା ଓ ଅନ୍ୟ ଜଣକୁ ସାଙ୍ଗରେ ନେଇଯାଉଥିବା ସମୟରେ ସେ କୁଆଡ଼େ ଖସି ଚାଲିଯାଇଥିବା ପୁଲିସକୁ ସୂଚନା ଦେଇଥିଲା। ହେଲେ ତାଙ୍କଠାରୁ ନିଖୋଜ ନାବାଳକ ଜଣକ ସମ୍ପର୍କରେ ଆଉକିଛି ଅଧିକ ତଥ୍ୟ ମିଳିନଥିଲା। ତେବେ ନାବାଳକଙ୍କ ପରିଚୟ ଜାଣି ମଧ୍ୟ ନିକଟସ୍ଥ ପୁଲିସ ଷ୍ଟେସନ ଓ ପରିବାର ବର୍ଗଙ୍କୁ ନ ଜଣାଇବା, ଅନ୍ୟ ଜଣେ ନାବାଳକକୁ ଅଜଣା ଜାଗାରେ ଛାଡି ଚାଲିଯିବା ଅପରାଧରେ ସେମାନଙ୍କୁ ପୁଲିସ ଗିରଫ କରି ଅଦାଲତ ପଠାଇଥିଲା। ଅନ୍ୟପଟେ ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟଜଣେ ନିଖୋଜ ନାବାଳକର ସନ୍ଧାନରେ ପୁଲିସ ମଧ୍ୟପ୍ରଦେଶ, ରାୟପୁର, ସମ୍ବଲପୁର, କୋଲକାତା, ବିଶାଖାପାଟଣାମ, ହାଇଦ୍ରାବାଦ୍‌, ପାରାଦୀପ, କେନ୍ଦୁଝର, କଟକ ଭଳି ବଡ଼ ବଡ଼ ସହର ଓ ରେଳ ଷ୍ଟେସନଗୁଡ଼ିକୁ ଯାଇ ଅନୁସନ୍ଧାନ କରିବା ପୂର୍ବକ ଓଡିଆ, ଇଂରାଜୀ, ହିନ୍ଦୀ ସହିତ ସ୍ଥାନୀୟ ଭାଷାଗୁଡ଼ିକରେ ପିଲାଙ୍କ ଫଟୋ ସହ ବିଜ୍ଞପ୍ତି ଜାରି କରିଥିଲା।

ଏହି ବଜ୍ଞପ୍ତି ଦେଖି ହାଇଦ୍ରାବାଦର ଜଣେ ହୋଟେଲ ମାଲିକ ପିଲା ଜଣଙ୍କ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ନାବାଳକଙ୍କୁ ଉଦ୍ଧାର କରି ଆଣିଥିଲା। ସୂଚନା ଅନୁଯାୟୀ କୁଞ୍ଜର ଗ୍ରାମର ନିଖୋଜ ୨ ନାବାଳକ ଗୋଟିଏ ପରିବାରର ହୋଇଥିବା ବେଳେ ଦୁହେଁ ନିକଟସ୍ଥ ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେପ୍ଟେମ୍ବର ୩୦ତାରିଖ ସକାଳ ୬ଟାରେ ୨ଟି ସାଇକେଲ ଯୋଗେ ଟ୍ୟୁସନ ଯାଉଛୁ ବୋଲି କହି ଦୁହେଁ ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରିନଥିଲେ। ପିଲାଙ୍କ ସନ୍ଧାନ ନପାଇ ପରିବାର ଲୋକେ ଡେଲାଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking