କୁଆଁପାଳ: ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ଦେଇ ଯାଇଥିବା ୮ନଂ କେନାଲରେ ପଡ଼ି ନାବାଳକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସୂଚନାରୁ ପ୍ରକାଶ ଯେ ଉମାକାନ୍ତ ପଲେଇଙ୍କ ପୁତ୍ର ସୌମ୍ୟରଞ୍ଜନ ପଲେଇ(୧୦ବର୍ଷ) ମାମୁଘର ଅଚ୍ୟୁତପୁରରେ ରହି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗୌଡ଼ଗୋପଠାରେ ୪ର୍ଥ ଶ୍ରେଣୀରେ ପାଠ ପଢୁଥିଲେ। ଝାଡା ବସି କେନାଲରେ ଶୌଚ ହେଉଥିଲାବେଳେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା।
ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲରେ ଖୋଜାଖୋଜି କରି ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୌମ୍ୟରଞ୍ଜନଙ୍କ ଅଜା ଉପେନ୍ଦ୍ର ଦାସ ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଶବ ଜବତକରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲେ। ସୌମ୍ୟରଞ୍ଜନଙ୍କ ଘର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବଡଖିର ପଞ୍ଚାୟତର ଗୋପପୁରଠାରେ ବୋଲି ଜଣାପଡ଼ିଛି। ଏକମାତ୍ର ନାତିର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ସରକାରଙ୍କ ତରଫରୁ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।










