26.1 C
Bhubaneswar
Sunday, March 15, 2026
Homeଓଡିଶାସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ହେଲା ପ୍ରମୁଖ ଆକର୍ଷଣ

ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ହେଲା ପ୍ରମୁଖ ଆକର୍ଷଣ

ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେଉଛି। ମିଲେଟ୍ ପୋଡ଼ପିଠା, କ୍ଷୀର ଗଜା ଠାରୁ ଆରମ୍ଭ କରି ରାଗି ଲାଡୁ, ମିଲେଟ୍ ବିସ୍କୁଟ୍, ବାଜରା ଦୋସା ମିକ୍ସ, ଫକ୍ସଟେଲ୍ ନୁଡଲ୍ସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଙ୍କ ମନ ଜିତୁଛି। ଦର୍ଶକମାନେ ମେଳାରେ ରେଡି-ଟୁ-ଇଟ୍ ସ୍ନାକ୍ସ, ବେକେରୀ ବ୍ୟଞ୍ଜନ, ମିକ୍ସଚର୍, ପିଠା ଇତ୍ୟାଦି ମାଧ୍ୟମରେ ମିଲେଟ୍‌ର ବିବିଧତାର ଏକ ଝଲକ ପାଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାନେ ନିଜ ହାତରେ ପ୍ରସ୍ତୁତ କରିଥିବା ଏହି ମିଲେଟ୍ ଉତ୍ପାଦ ଗୁଡ଼ିକ ସମ୍ପୁର୍ଣ୍ଣ ଜୈବିକ ଓ ପ୍ରାକୃତିକ ଗୁଣରେ ଭରପୁର । ଗ୍ରାମାଞ୍ଚଳରେ ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ମିଲେଟ୍‌ଗୁଡ଼ିକୁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ପାରମ୍ପରିକ ଧାରାରେ ପ୍ରସ୍ତୁତ କରି ନୂଆ ଆକାର ଦେଇଛନ୍ତି, ଯାହା ସ୍ୱାଦିଷ୍ଟ ହେବା ସହିତ ପୁଷ୍ଟିକର। ଏଥିରେ ଥିବା ଫାଇବର୍, ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧୁମେହ ନିୟନ୍ତ୍ରଣ, ପାଚନ ଶକ୍ତି ବଢ଼ାଇବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ିବା ସହିତ ମିଲେଟ୍ ପ୍ରଡକ୍ଟ୍‌ର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ୁଛି। ସୁପର୍ ଗ୍ରେନ୍ ବୋଲି ପରିଚିତ ମିଲେଟ୍ ଆଜି ସୁସ୍ଥ ଜୀବନ ପାଇଁ ବେଶ୍ ଆଦୃତ ହେଉଛି। ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଭଳି ଜିଲ୍ଲାର ମହିଳା ଉଦ୍ୟୋଗୀ ମାନେ ରାଗି, ଲିଟଲ୍ ମିଲେଟ୍ ଓ ବାଜରାକୁ ବ୍ୟବହାର କରି ମିଲେଟ୍ ପାସ୍ତା, ମିଲେଟ୍ କୁକିଜ୍, ବିସ୍କଟ୍ ଭଳି ନୂଆ ନୂଆ ପ୍ରଡକ୍ଟ ତିଆରି କରୁଛନ୍ତି। ଆଧୁନିକ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ୧୩୭ ନଂ ଷ୍ଟଲରେ କଟକ ଜିଲ୍ଲାର ଦୁଲଣପୁର ଉତ୍ପାଦକ ଗୋଷ୍ଠୀ ସଦସ୍ୟା ମିଲେଟ ଚକୋଲେଟ କୁକିଜ୍, ମାଣ୍ଡିଆ ମୁଢ଼ି, ଏନର୍ଜି ଚକୋଲେଟ୍ ବିକ୍ରି କରି ଗୋଟିଏ ସନ୍ଧ୍ୟାରେ ୫୦ ହଜାରରୁ ଉର୍ଦ୍ଧ୍ଵ ରୋଜଗାର କରିଛନ୍ତି। “ଲୋକମାନେ ଆମ ଉତ୍ପାଦକୁ ଭଲ ପାଉଛନ୍ତି ଏବଂ କିଣୁଛନ୍ତି। ସୁଭଦ୍ରା ଶକ୍ତି ମେଳା ଆମ ପାଇଁ ଏକ ମଞ୍ଚ ଯେଉଁଠାରେ ଆମେ ଆମ ପ୍ରୋଡକ୍ଟକୁ ବିକ୍ରି କରିବା ପାଇଁ ନୂଆ ବଜାର ମିଳିଛି। ଆମ ସାମଗ୍ରୀର ଭଲ ବିକ୍ରି ହଉଛି। ଏହି ମେଳା ଆମକୁ ଆମର ଐତିହ୍ୟ ଖାଦ୍ୟକୁ ଏକ ସ୍ଥାୟୀ ବ୍ୟବସାୟରେ ପରିଣତ କରିବାରେ ସାହାଯ୍ୟ କରିଛି” ବୋଲି କହିଛନ୍ତି ସଦସ୍ୟା କହିଛନ୍ତି ଦୁଲଣପୁର ଉତ୍ପାଦକ ଗୋଷ୍ଠୀର ସଦସ୍ୟା ବିଜୟଲକ୍ଷ୍ମୀ ସାହୁ।

ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ମହିଳା ସଶକ୍ତିକରଣ ଓ ଓଡ଼ିଶାର ଗ୍ରାମ୍ୟ ସ୍ଵାଦକୁ ନୂଆ ପରିଚୟ ଦେଉଛି। ସହରବାସୀଙ୍କ ମଧ୍ୟରେ ମିଲେଟ୍ ଉତ୍ପାଦର ବଢୁଥିବା ଚାହିଦା – ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନତା ଓ ସୁସ୍ଥ ଜୀବନଶୈଳୀ ଦିଗରେ ଆଗ୍ରହ ବୃଦ୍ଧିକୁ ଦର୍ଶାଉଛି। ବର୍ତ୍ତମାନ ସୁଦ୍ଧା ୨.୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଛି। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଉତ୍ସବମୟ ଓ ଆକର୍ଷଣୀୟ କରୁଛି । ନୂପୁର ଧ୍ବନି ନୃତ୍ୟ ପରିଷଦ ଦ୍ଵାରା ଓଡ଼ିଶୀ ନୃତ୍ୟ, ଆର୍.କେ ନୃତ୍ୟ ଏକାଡେମୀ ଦ୍ୱାରା ଶିବ ତାଣ୍ଡବ ଓ ଭଜନ ସମ୍ରାଟ ନରେନ୍ଦ୍ର କୁମାରଙ୍କ ଭଜନ ମେଳାର ପରିବେଶକୁ ଭକ୍ତିମୟ କରିଥିଲା। ସୁଭଦ୍ରା ଶକ୍ତି ମେଳା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନବୀନତା ପ୍ରଦର୍ଶନ, ବଜାର ସଂଯୋଗ ଗଢ଼ିବା ଏବଂ ଉପଭୋକ୍ତାମାନଙ୍କ ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବାର ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି।ଆମର ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳାରେ ମିଲେଟ ଖାଦ୍ୟ ଅଭ୍ୟାସରେ ପରିଣତ କରିବା ପାଇଁ ସ୍ଵୟଂ-ସହାୟକ ଗୋଷ୍ଠୀଙ୍କ ଉଦ୍ୟମ ପ୍ରସଂଶା ଯୋଗ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking