31.1 C
Bhubaneswar
Friday, February 6, 2026
Homeଓଡିଶାଜଳ ସମ୍ପଦ ବିଭାଗରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଜଳ ସମ୍ପଦ ବିଭାଗରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ନୂଆବର୍ଷରୁ ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି  ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ।  ଉନ୍ନୟନ କମିଶନର  ଶ୍ରୀମତୀ ଗର୍ଗ  ଯୋଜନା ଓ ସଂଯୋଜନ ବିଭାଗ ସହିତ  ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ। ନୂତନ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ  ଶ୍ରୀମତୀ ଗର୍ଗ ଜଳ ସଂପଦ  ବିଭାଗ ସ୍ଥିତ ସମ୍ମିଳନୀ କକ୍ଷରେ  ଆଜି  ବରିଷ୍ଠ  ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ ।  ଶ୍ରୀମତୀ ଗର୍ଗ ତାଙ୍କର ଏହି  ବିଭାଗରେ ଦୀର୍ଘ ୫ ବର୍ଷରୁ  ଊର୍ଦ୍ଧ୍ୱ ସେବା ସମୟର ଆହ୍ୱାନ ଓ  ସଫଳତା ଆଦି ସଂପର୍କରେ  ନିଜ ଅନୁଭୂତି  ପ୍ରକାଶ  କରି ବିଭିନ୍ନ ପରାମର୍ଶ ଦେଇଥିଲେ । ଜଳ ସମ୍ପଦ  ବିଭାଗର  ସଚିବ ଭାବେ ତାଙ୍କର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ନଦୀ ପରିଚାଳନା, ଜଳ ସଂରକ୍ଷଣ ,ଭୁଗର୍ଭ ଜଳ ପୂନର୍ଭରଣ ଆଦି  ନିମନ୍ତେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବୈଠକରେ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ଏଥିରେ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମାନସୀ ନିମ୍ଭାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ନରହରି ସେଠୀ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ପାଢୀଙ୍କ ସମେତ ବିଭିନ୍ନ କାର୍ଯ୍ୟ ଦାୟିତ୍ୱରେ ଥିବା ଜଳ ସଂପଦ ବିଭାଗର  ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ବୃନ୍ଦ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ବକ୍ତବ୍ୟ ରଖି  ଶ୍ରୀମତୀ ଗର୍ଗଙ୍କ ଠାରୁ ପାଇଥିବା ଉଚିତ୍ ଦିଗଦର୍ଶନ ଏବଂ କାର୍ଯ୍ୟ ତତ୍ପରତା ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା ବୋଲି  ପ୍ରକାଶ କରିଥିଲେ ।

ତାଙ୍କ ସମୟରେ ଜଳ ସଂପଦ ବିଭାଗରେ ବହୁ ସଂଖ୍ୟକ ଜଳ ସେଚନ ପ୍ରକଳ୍ପ  ନିର୍ଦ୍ଧାରିତ ସମୟରେ କରାଯାଇଛି ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାରେ ତାଙ୍କର ସମୟୋପଯୋଗୀ ନିଷ୍ପତ୍ତି ସଫଳତା  ଦେଇଛି  । ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ପରିବର୍ତ୍ତେ  କାର୍ଯ୍ୟସ୍ଥଳୀରେ କର୍ମଚାରୀ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଶ୍ରୀମତୀ ଗର୍ଗ  ଗୁରୁତ୍ୱ ଦେଇଥିଲେ, ଯଦ୍ୱାରା ବିଭାଗରେ ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ ଉତ୍ସାହିତ ଓ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିଲେ ବୋଲି ସେମାନେ  ମତବ୍ୟକ୍ତ କରିଥିଲେ ।  ଶ୍ରୀମତୀ ଗର୍ଗଙ୍କର ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ପ୍ରତି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ସହ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା  ଜ୍ଞାପନ କରିଥିଲେ । ଶ୍ରୀମତୀ ଗର୍ଗ ରାଜ୍ୟରେ ଜଳ ସଂପଦ କ୍ଷେତ୍ରରେ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ମାଣରେ ଅବଦାନ ଓ ଅନୁଭୂତି  ବାଣ୍ଟିଥିଲେ । ସମସ୍ତଙ୍କ ସାମଗ୍ରିକ ପ୍ରୟାସରେ ବିଭାଗରେ  ବହୁ ଉଲ୍ଲେଖନୀୟ  କାର୍ଯ୍ୟ କରାଯାଇଛି ।  ସେ ଅଧିକାରୀମାନଙ୍କୁ କାର୍ଯ୍ୟର ପ୍ରକୃତ ମୂଲ୍ୟବୁଝି ସଠିକ୍ ଭାବେ ନିର୍ବାହ କରିବା, ସାଧୁତା ,ଏକାଗ୍ରତାର ସହିତ କାର୍ଯ୍ୟ କରିବାକୁ  ପରାମର୍ଶ ଦେଇଥିଲେ  ।  ହାସଲ ହୋଇଥିବା  ସଫଳତା ସବୁକୁ ପାଥେୟ କରି ଆଗାମୀ ଦିନରେ ଆହୁରି  ଭଲ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking