ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’। ଏହି ଅବସରରେ ‘ସିଏମ୍ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏଥିସହ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେବ ପ୍ରଥମ କିସ୍ତି। ଯେଉଁ ଚାଷୀମାନେ କେନ୍ଦ୍ରୀୟ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ସାମିଲ ହୋଇନପାରି ବାଦ୍ ପଡ଼ିଥିଲେ, ସେମାନଙ୍କୁ ଏହି ଯୋଜନାରେ ରାଜ୍ୟ ସରକାର ଅନ୍ତର୍ଭୁକ୍ତ କରି ଦୁଇଟି କିସ୍ତିରେ ୪ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ। ଏଥିରେ ୪୫ଲକ୍ଷ ୭୬ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମିହୀନ ଚାଷୀ ଲାଭାନ୍ୱିତ ହେବେ। ଏହା ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଗସ୍ତରେ ଯିବେ। ପୂର୍ବାହ୍ଣ ସାଢ଼େ ୧୧ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ। ଅପରାହ୍ନ ୧ଟା୧୦ରେ ସେ ସମଲେଇ ମନ୍ଦିରକୁ ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିବେ ଏବଂ ଅପରାହ୍ଣ ୩ଟା୩୫ରେ ମାରୱାଡ଼ି ଯୁବାମଞ୍ଚ ଦ୍ୱାରା ରିଭର ଇନ୍ ଠାରେ ଆୟୋଜିତ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାପରେ ଅପରାହ୍ନ ୪ଟା ୧୫ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ‘ସିଏମ୍ କିଷାନ ଯୋଜନା’ର ଶୁଭାରମ୍ଭ କରିବେ। ଏଥିସହ ଆଉ କିଛି କାର୍ଯ୍ୟକ୍ରମରେ ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପରେ ସେ ଝାରସୁଗୁଡ଼ା ଯିବାର ବି କାର୍ଯ୍ୟକ୍ରମ ରହିଛି।