21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶମଣିପୁର ହିଂସା: ୩ ଜିଲ୍ଲାରେ କର୍ଫ୍ୟୁ ଲାଗୁ; ୫ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ମଣିପୁର ହିଂସା: ୩ ଜିଲ୍ଲାରେ କର୍ଫ୍ୟୁ ଲାଗୁ; ୫ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ : ଦେଶର ଅନ୍ୟତମ ଅଶାନ୍ତ ତଥା ହିଂସାପ୍ରବଣ ରାଜ୍ୟ ମଣିପୁରରେ ଏବେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ସେପ୍ଟେମ୍ବର ୧୫ ଯାଏ ଏଠାରେ ଇଣ୍ଟରନେଟ୍ ସର୍ଭର ଡାଉନ୍ ରହିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହ ରାଜ୍ୟର ମାତ୍ରାଧିକ ହିଂସାପ୍ରବଣ ଜିଲ୍ଲା ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବୁଲ ଆଦି ୩ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ସନ୍ଧ୍ୟା ୫ରୁ ରାତ୍ର ୧୦ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ରହିବ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଆସନ୍ତା ଦୁଇ ଦିନ ଅର୍ଥାତ୍ ୧୧ ଓ ୧୨ ତାରିଖରେ ରାଜ୍ୟ ସମସ୍ତ ପ୍ରକାରର ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମଣିପୁରରେ ବନ୍ଦ ରହିବ।
ଏସବୁ ମଧ୍ୟରେ ରାଜ୍ୟରେ ଏପ୍ରକାର ହିଂସାତ୍ମକ ପରିବେଶ ତଥା ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ରାଜ୍ୟର ଶିକ୍ଷାର୍ଥୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଗତ ଦୁଇ ଦିନ ଧରି ଅନେକ ସ୍କୁଲ ଓ କଲେଜର ଶିକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା ତଥା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ମଙ୍ଗଳବାର ଶିକ୍ଷାର୍ଥୀଙ୍କ ଏକ ଗ୍ରୁପ୍‌, ରାଜ୍ୟପାଳଙ୍କ ବାସଭବନ ରାଜଭବନ ଅଭିମୁଖେ ଅଗ୍ରସର ହେବା ଏବଂ ମାର୍ଗରେ ସେମାନଙ୍କୁ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହେବାକୁ ପଡିଥିବା ସମ୍ପର୍କରେ ମଧ୍ୟ ସୂଚନା ମିଳିଛି। ନିଜ ଦାବି ପୂରଣ ପାଇଁ ବିଟି ରୋଡ ଦେଇ ରାଜ ଭବନ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। ହେଲେ କଂଗ୍ରେସ ଭବନ ନିକଟରେ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ପ୍ରବେଶ ଉଦ୍ୟମ କରିବାରୁ ସେଠାରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶିକ୍ଷାର୍ଥୀଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରାଯାଇଛି। ମହିଳାମାନେ ମଧ୍ୟ ସ୍ୱତନ୍ତ୍ର ଭାବେ ମଶାଲ ରାଲି କରି ରାଜଭବନ ଆଡ଼କୁ ଯିବାକୁ ଚେଷ୍ଟା କରିବା ବେଳେ ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଛି। ମଣିପୁର ଡିଜିପି ଓ ସୁରକ୍ଷା ପରାମର୍ଶଦାତାଙ୍କୁ ହଟାଇବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ମଣିପୁର ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ବିକ୍ଷୋଭ କରିବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଛନ୍ତି।
ଏପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ପୂରା ରାଜ୍ୟରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯିବା ସହ ୩ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ବର୍ତ୍ତମାନ ସମୟର ଫାଇଦା ଉଠାଇବାକୁ ଯାଇ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଛବି, ଘୃଣା ସୃଷ୍ଟିକାରୀ ବୟାନ ଓ ଭିଡିଓ ଶେୟାରି କରି ଲୋକଙ୍କୁ ହିଂସାକାଣ୍ଡ ପାଇଁ ଭଡକାଇବାରେ ଲାଗିଛନ୍ତି। ବିଭାଜନକାରୀ ଓ ଗୁଜବ ମଧ୍ୟ ସୋଶାଲ ମିଡିଆ, ଏସଏମଏସ ଏବଂ ଡଙ୍ଗଲ ସେବାରେ ମଧ୍ୟରେ ଛଡ଼ା ଯାଉଛି। ଏହା ରାଜ୍ୟରେ ଅଧିକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଏଥିଯୋଗୁ ଧନଜୀବନ ନଷ୍ଟ ହୋଇପାରେ। ସାଂପ୍ରାଦାୟିକ ସଦ୍‌ଭାବନାକୁ କ୍ଷୁଣ୍ଣ ହେବାର ଆଶଙ୍କା ଥିବାରୁ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଛି।
ରିପୋର୍ଟ ଅନୁସାରେ ପାର୍ବତ୍ୟାଞ୍ଚଳ ବେସିତ କୁକି ଓ ଇମ୍ଫାଲ ବେସିତ ମୈତେଇ ସମ୍ପଦ୍ରାୟ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ଉତ୍ତେଜନା ଜାରି ରହିଆସିଛି। ତେବେ ଗତବର୍ଷ ଠାରୁ ଏହି ଉତ୍ତେଜନା ଏବେ ହିଂସାତ୍ମକ ତଥା ପ୍ରତିଶୋଧମୂଳକ ରୂପ ଧାରଣ କରିଛି। ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଛି। ଉଭୟ ସମ୍ପ୍ରଦାୟ ମଧ୍ୟରେ ଜାରି ରହିଥିବା ହିଂସାତ୍ମକ ଆକ୍ରମଣ ରାଜ୍ୟରେ ବିଷମ ପରିସ୍ଥିତି ସୃଷ୍ଟି କରିଛି। ବିଶେଷକରି ଏବେ ଉଭୟ ସମ୍ପ୍ରଦାୟ ପକ୍ଷରୁ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରାଯାଉଥିବା ଦେଖିବାକ୍‌ୁ ମିଳୁଛି ଯାହାକି ସ୍ଥିତିକୁ ଅଣାୟତ୍ତ କରିଦେଇଛି। ବ୍ୟାପକ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ସତ୍ତ୍ୱେ ହିଂସାକାଣ୍ଡ ଭିଆଉଛନ୍ତି ଉଭୟ ଗୋଷ୍ଠୀ। ଏସବୁକୁ ରୋକିବା ଦିଗରେ ରାଜ୍ୟ ସରକାର ବିଫଳ ସାବ୍ୟସ୍ତ ହେଉଥିବା ବେଳେ ଏବେ କେବଳ ସୁରକ୍ଷା ବଳ ଭରଶାରେ ସରକାର ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking