ଇମ୍ଫାଲ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି (ମେ’ ୩, ୨୦୨୩ମସିହାରୁ ଘଟିଚାଲିଥିବା ହିଂସା) ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ (କୁକି-ମୈତେଇ ସମ୍ପ୍ରଦାୟ ମଧ୍ୟ ହିଂସକ ତଥା ରକ୍ତାକ୍ତ ସଂଘର୍ଷ)କୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏସବୁ ଭିତରେ ୨୦୨୪ର ଶେଷ ଦିନରେ ଅର୍ଥାତ୍ ଡିସେମ୍ବର ୩୧ରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ। ପ୍ରକାଶ, ଗତବର୍ଷ ମେ’ ୩ରୁ କୁକି ଓ ମୈତେଇ ସଂପ୍ରଦାୟର ମଧ୍ୟରେ ହିଂସା ଜାରି ରହିଛି। ଏହି ହିଂସାରେ ୧୮୦ ଜଣଙ୍କ ଜୀବନ ଯାଇଥିବା ବେଳେ ଲକ୍ଷାଧିକ ଲୋକ ଘର ଦ୍ୱାର ଛାଡ଼ି ରିଲିଫ କ୍ୟାମ୍ପରେ ରହୁଛନ୍ତି।
ମଙ୍ଗଳବାର ରାଜଧାନୀ ଇମ୍ଫାଲରେ ଥିବା ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବକ ଶ୍ରୀ ସିଂହ କହିଛନ୍ତି ଯେ,”୨୦୨୪ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଗତ ମେ’ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ଯାହା ଘଟୁଛି ସେଥିପାଇଁ ମୁଁ ରାଜ୍ୟବାସୀଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ଅନେକ ଲୋକ ନିଜ ଘର ଛାଡି ଚାଲିଯାଇଛନ୍ତି। ଏଥିପାଇଁ ମୁଁ ଦୁଃଖିତ। ମୁଁ କ୍ଷମା ପ୍ରାର୍ଥନା କରୁଛି। କିନ୍ତୁ ଗତ ତିନିରୁ ଚାରି ମାସ ମଧ୍ୟରେ ଆମେ ଶାନ୍ତି ଆଡକୁ ଅଗ୍ରଗତି କରୁଥିବା ନେଇ ଦେଖିବା ପରେ ମୁଁ ଆଶା କରୁଛି, ମୁଁ ବିଶ୍ୱାସ କରୁଛି ୨୦୨୫ସୁଦ୍ଧା ରାଜ୍ୟରେ ସ୍ୱାଭାବିକତା ଫେରିଆସିବ। ଯାହାକିଛି ଘଟିଯାଇଛି ସେସବୁକୁ ଭୁଲିଯିବା ଏବଂ ପରସ୍ପରକୁ କ୍ଷମାକରିବା ସହ ଆଗକୁ ବଢ଼ିବା ଉଚିତ୍ ହେବ। ଆମକୁ ଶାନ୍ତି ଓ ସ୍ଥିର ମଣିପୁର ପାଇଁ ଗୋଟିଏ ନୂଆ ଆରମ୍ଭ କରିବାକୁ ପଡ଼ିବ।
ସମସ୍ତ ୩୫ ଆଦିବାସୀ ସଂପ୍ରଦାୟ ମଣିପୁରରେ ଏକାଠି ଶାନ୍ତିର ସହ ରହିବା ଦରକାର।” ଏହି ଅବସରରେ ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ସେ ଏବଂ ତାଙ୍କ ସରକାର ଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ସିଂହ ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ତାଙ୍କ ସରକାରଙ୍କ ବିକାଶ କାର୍ଯ୍ୟ, ସଫଳତା ଏବଂ ଆଗାମୀ ବର୍ଷ ପାଇଁ ଥିବା ଯୋଜନା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଙ୍କ କହିବାନୁସାରେ ବିମାନ ଯାତ୍ରା ବେଳେ ମହଙ୍ଗା ଟିକେଟ ସମସ୍ୟାର ସମାଧାନ ପାଇଁ ମଣିପୁର ସରକାର ସୁଲଭ ମୂଲ୍ୟରେ ଏଲାଇନ୍ସ ବିମାନ ସେବା ଆରମ୍ଭ କରିବେ। ଏହା ଅଧୀନରେ ବିମାନ ଭଡା ୫୦୦୦ରୁ ଅଧିକ ହେବ ନାହିଁ। ମଣିପୁର ସରକାର ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଭଡା ଉପରେ ସବସିଡି ପ୍ରଦାନ କରିବେ। ଏହି ବିମାନ ସେବା ସପ୍ତାହରେ ଦୁଇଥର ଇମ୍ଫାଲ-ଗୌହାଟି, ଇମ୍ଫାଲ-କୋଲକାତା ଏବଂ ଇମ୍ଫାଲ-ଦିମାପୁର ରୁଟ୍ରେ ଉଡ଼ାଣ କରିବ।