ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ଛାରଖାର ହୋଇଗଲା ପୁରା ପରିବାର । ସାତଜନ୍ମର ସାଥି ହେବା ପାଇଁ ସାଖି ରହିଥିବା ହୋମ ନିଆଁ ଆଜି ଜୁଇରେ ପରିଣତ ହୋଇଛି । ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ୱାମୀ । କଟକ ଜଲ୍ଲା ଲାଲ୍?ବାଗ ଥାନା ସିଦ୍ଧେଶ୍ୱରସାହିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳାଜଣକ ପୋଲିସ ବିଭାଗରେ କନଷ୍େଚବଳ ଭାବେ ସାଇବର ଥାନାରେ କାର୍ଯ୍ୟ କରୁଥିଲେ ।
ସୂଚନା ଅନୁଯାୟୀ, ସିଦ୍ଧେଶ୍ୱରରେ ହୋଇଥିବା ହତ୍ୟାକାଣ୍ଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ୨୦୧୯ ମସିହାରେ ଉଭୟେ ଭଲପାଇ ବିବାହ କରିଥିଲେ । କୌଣସି ଏକ ବିଷୟକୁ ନେଇ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଦେଖାଯାଉଥିଲା । ଅନେକ ସମୟରେ ବଚସା ଦେଖାଯାଉଥିବା ବେଳେ ପାରିବାରିକ ସମ୍ପର୍କ ଠିକ ରହିନଥିଲା । ତେବେ ହଠାତ୍ ଆଜି କୌଣସି କାରଣକୁ ନେଇ ଆରମ୍ଭ ହୋଇଥିବା ବଚସା ହତ୍ୟାକାଣ୍ଡର ରୂପ ନେଇଥିଲା । ନିଜ କ୍ରୋଧକୁ ସମ୍ଭାଳି ନପାରି ସ୍ୱାମୀ ସ୍ତ୍ରୀକୁ ଛୁରିରେ ଆକ୍ରମଣ କରିଥିଲେ, ଏହାପରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପରେ ସ୍ୱାମୀ ଜଣକ ନିଜକୁ ଏକ ରୁମରେ ବନ୍ଦ କରି ନିଜର ବେକ କାଟିଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସ୍ତ୍ରୀର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।