କୋଲକାତା : ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଣିଥିବା ମାନହାନୀ ମୋକଦ୍ଦମା ମାମଲାରେ ଆଜି ଶୁଣାଣି ହୋଇଛି । ସୋମବାର କୋଲକାତା ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ମମତା ନିଜେ ଉପସ୍ଥିତ ରହି ନିଜ ପକ୍ଷ ରଖିବା ଦେଖିବାକୁ ମିଳିଥିଲା । ମମତା ଆଜି ପୁଣିଥରେ ଖଣ୍ଡପୀଠ ସମ୍ମୁଖରେ ନିଜ ପୁରୁଣା କଥାକୁ ଦୋହରାଇଥିଲେ ଏବଂ କହିଥିଲେ ଯେ, ସେ ରାଜ୍ୟପାଳଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟରେ କୌଣସି ଭୁଲ୍ ନାହିଁ । ସେ କହିଥିଲେ, ରାଜଭବନକୁ ବର୍ତ୍ତମାନ ସମୟରେ ଯିବା ପାଇଁ ମହିଳା ଭୟ କରୁଛନ୍ତି । ଏଠାରେ କାମ କରୁଥିବା ମହିଳା କର୍ମଚାରୀମାନେ ମଧ୍ୟ ଏବେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ତାଙ୍କ ଆଗରେ କହିଛନ୍ତି । ଏହି ଦୃଷ୍ଟିକୋଣରୁ ସେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏପ୍ରକାର ମନ୍ତବ୍ୟ ଦେଇଥିଲେ । ଏତଦ୍ବ୍ୟତୀ ତାଙ୍କ ବିରୋଧରେ ଏବଂ ତାଙ୍କ ଦଳର ଅନ୍ୟ ନେତାଙ୍କ ବିରୋଧରେ ରାଜ୍ୟପାଳଙ୍କ ପକ୍ଷରୁ ହୋଇଥିବା ମାନହାନୀ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାଇଁ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ ମମତା ବିରୋଧ କରିଛନ୍ତି ।
ପ୍ରକାଶ, ମେ’ ୨ ରେ ରାଜଭବନରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ରାଜ୍ୟପାଳ ବୋଷ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ଏହି ସମୟରେ ମମତା ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ଏହାପରେ କୋଲକାତା ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ରାଜ୍ୟପାଳଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆରମ୍ଭ ହୋଇପାରିବ ନାହିଁ । ଏହି କାରଣରୁ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍ଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିନଥିଲା । ଅନ୍ୟପକ୍ଷେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ମମତା ବାନାର୍ଜୀ ଏବଂ ତାଙ୍କ ଦଳର କିଛି ନେତାଙ୍କ ବିରୋଧରେ ଜୁନ୍ ୨୮ରେ ମାନହାନୀ ମକଦ୍ଦମା ଦାୟର କରିଥିଲେ ।