27.1 C
Bhubaneswar
Monday, January 19, 2026
Homeଓଡିଶାବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ

ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ

– ଅନୁସୂଚିତ ଜାତିର ସ୍ୱାର୍ଥରକ୍ଷା ପାଇଁ ଲଢେଇ କରିବ ବିଜେଡି
– ବିଜେଡି ସରକାର ସମୟରେ ଅନେକ ଜନ ହିତକର କାମ ହୋଇଛି
– ୨୦୦୦ ମସିହାରେ ରାଜ୍ୟର ସତୁରି ଭାଗ ଲୋକ ଗରିବ ଥିଲେ, ୨୦୨୪ ବେଳକୁ ମାତ୍ର ୧୦ ପ୍ରତିଶତ ଗରିବ ରେଖା ତଳେ

ଭୁୁବନେଶ୍ୱର : ବିଜେଡି ଅନୁସୂଚିତ ଜାତି ସେଲର ଆଜି ଶଙ୍ଖ ଭଵନ ଠାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବିଜୁ ଜନତା ଦଳର ସମସ୍ତ ଅନୁସୂଚିତ ଜାତିର ନେତୃ ମଣ୍ଡଳୀ ଯୋଗ ଦେଇଥିବା ବେଳେ ଏଥିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଅନୁସୂଚିତ ଜାତିର କଲ୍ୟାଣ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ବୈଠକରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ଶ୍ରୀ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଇତ୍ୟାଦି ଏହି ବୈଠକରେ ନିଜର ମତାମତ ରଖିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଗତ କିଛି ଦିନ ହେଲା ଆରମ୍ଭ ହୋଇଥିବା ଜିଲ୍ଲା କାର‌୍ୟ୍ୟକର୍ତ୍ତା ସମ୍ମିଳନୀରେ ଆଜି କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ପୃଥକ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡିର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ ଜିଲ୍ଲାର କର୍ମକର୍ତ୍ତା ମାନଙ୍କ ସହ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିବା ସହ ସେମାନଙ୍କ ମତାମତ ଶୁଣିଥିଲେ।

ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଜିଲ୍ଲାର ସଂଗଠନକୁ କିପରି ଆହୁରି ମଜବୁତ ହୋଇ ପାରିବ ସେ ବିଷୟରେ ଉପାଦେୟ ପରାମର୍ଶ ଦେବା ସହ ବିଜେପି ଦ୍ୱାରା ଦିଆ ଯାଇଥିବା ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କରିବାକୁ କହିଥିଲେ। ଦୁଃଖର କଥା, ଥାନାରେ ମହିଳା ଅସୁରକ୍ଷିତ ହୋଇ ପଡ଼ୁଛନ୍ତି, ରାଜଭଵନରେ କର୍ମଚାରୀ ମାଡ଼ ଖାଉଛନ୍ତି ଓ ରାଜ୍ୟରେ ଆଇନଶୃଙ୍ଖଳା ଥିବା ପରି ମନେ ହେଉନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସୁଭଦ୍ରା ଯୋଜନାରେ କିପରି ବିଜେପି ଦୁଇ ବର୍ଷରେ ପଚାଶ ହଜାର ଦେବା କଥା ହେଉ, ୩୦୦ ୟୁନିଟ ବିଜୁଳି ମାଗଣା ଦେବା କଥା ହେଉ ବା ସମସ୍ତ ବର୍ଗର ବାର୍ଧକ୍ୟ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବା କଥା ହେଉ, ବିଜେପିର ସବୁ ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେ ଆହୁରି କହିଥିଲେ, ବିଜେଡି ରାଜ୍ୟର ଶାସନ ଭାର ଦାୟିତ୍ୱ ନେଲାବେଳେ ରାଜ୍ୟର ସତୁରି ଭାଗ ଲୋକ ଗରିବ ରେଖାର ତଳେ ଥିଲେ ଯାହା ୨୦୨୪ ବେଳକୁ ଏହା ଦଶ ପ୍ରତିଶତକୁ ଖସି ଆସିଛି। ବିଜେଡି ଆଉ ପାଞ୍ଚବର୍ଷ କ୍ଷମତାକୁ ଆସିଥିଲେ, ଓଡିଶାରୁ ଗରିବ ସମ୍ପୂର୍ଣ ରୂପେ ଦୂର ହୋଇ ପାରିଥାନ୍ତା। ସେ କହିଥିଲେ, ବିଜେଡି ସରକାରରେ ଥିଲାବେଳେ ରାଜ୍ୟରେ ଅନେକ ଲୋକହିତକର କାର‌୍ୟ୍ୟ ହୋଇଛି ଓ ଲୋକଙ୍କ ଭଲ ପାଇବା ଏବେ ବି ଆମ ସାଥିରେ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ, କେନ୍ଦ୍ରାପଡ଼ା ସହ ତାଙ୍କର ଓ ବିଜୁ ବାବୁଙ୍କ ସମ୍ପର୍କ ସ୍ୱତନ୍ତ୍ର ହୋଇ ରହିଛି। ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାରର ସମ୍ପର୍କ ଖୁବ ପୁରୁଣା। କେନ୍ଦ୍ରାପଡା ବୈଠକରେ ଆଳି ବିଧାୟକ ଶ୍ରୀ ପ୍ରତାପ ଦେବ ସଂଯୋଜନା କରିଥିବା ବେଳେ ଗଜପତି ବୈଠକରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବି ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ, କେନ୍ଦ୍ରାପଡା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ, ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ଇତ୍ୟାଦି କେନ୍ଦ୍ରାପଡ଼ା ବୈଠକରେ ଉପସ୍ଥିତ ଥିଲେ। ସେହିପରି, ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ସମସ୍ତ ବ୍ଲକ ଅଧ୍ୟକ୍ଷ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଜିଲ୍ଲାର ବିଜେଡି ସଂଗଠନକୁ ଅଧିକ ମଜବୁତ କରିବେ ବୋଲି ଦୃଢ଼ ସଙ୍କଳ୍ପ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking