ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଜେପି-ଏନସିପି-ଶିବସେନାର ମହାୟୁତି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଦାବିକୁ ଖାରଜ କରିଛନ୍ତି। ସିନ୍ଦେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସହ ତାଙ୍କର କୌଣସି ପ୍ରକାରର ବି ଶୀତଳ ଯୁଦ୍ଧ ନାହିଁ। ବିକାଶକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ ଆମେ ଏକଜୁଟ୍ ରହିଛୁ ଓ ମିଳିତ ଭାବେ କାମ କରୁଛୁ। ବିରୋଧୀମାନେ ସରକାରଙ୍କୁ ଅସ୍ଥିର କରିବା ପାଇଁ କିଛି ବି କହୁଛନ୍ତି ବୋଲି ଏକନାଥ କହିଛନ୍ତି। ରାଜ୍ୟ ପ୍ରଶାସନ ଭିତରେ ଏକ “ସମାନ୍ତରାଳ ସରକାର” କାର୍ଯ୍ୟ କରୁଥିବା ବିରୋଧୀଙ୍କ ଦାବି ମଧ୍ୟରେ ଏହି ମନ୍ତବ୍ୟ ଆସିଛି। ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଯଦି ସରକାର ଏହିପରି ଭାବରେ କାର୍ଯ୍ୟ ଜାରି ରଖନ୍ତି, ତେବେ ରାଜନୈତିକ ବିଶୃଙ୍ଖଳା ଆହୁରି ବୃଦ୍ଧି ପାଇବ। ସଞ୍ଜୟଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ସିନ୍ଦେ-ଫଡନବୀସଙ୍କ ମଧ୍ୟରେ କିଛି ଠିକ୍ ଚାଲିନଥିବା କହୁଛନ୍ତି।
କୁମ୍ଭମେଳା ୨୦୨୭ର ପ୍ରସ୍ତୁତି ନିମନ୍ତେ ଗତମାସରେ ମୁଖ୍ୟମନ୍ତ୍ରୀ ଫଡନବୀସ ଡାକିଥିବା ବୈଠକକୁ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଆସିନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସିନ୍ଦେ ଏହି ପ୍ରସଙ୍ଗରେ ଅଲଗା ବୈଠକ କରିଥିଲେ। ସେହିପରି ସିନ୍ଦେ ନିକଟରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଡାକ୍ତରୀ ସହାୟତା ସେଲ ନାମରେ ଏକ ଅଲଗା ସେଲ୍ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସେଲ୍ ଅନୁରୂପ ଏପରି ସେଲ୍ ଗଠନ କରିବା ଜଣେ ଉପମୁଖ୍ୟମନ୍ତ୍ରୀ କ୍ଷେତ୍ରରେ ପ୍ରଥମ ଘଟଣା। ସିନ୍ଦେ ଏପରି ସେଲ୍ ଗଠନ କରିବା ସହିତ ନିଜର ଜଣେ ସହଯୋଗୀଙ୍କୁ ଏହାର ମୁଖିଆ କରିଛନ୍ତି। ସେହିପରି ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କମିଟିରୁ ବାଦ୍ ଦିଆଯାଇଛି। ଏସବୁ ବିଷୟରେ ନିଜ ପ୍ରତିକ୍ରିୟା ରଖି ସିନ୍ଦେ କହିଛନ୍ତି, ଏସବୁ କିଛି ବଡ଼ କଥା ନୁହେଁ,ଏହି ସେଲ୍ ଏକ ପ୍ରତିଯୋଗିତାମୂଳକ ପ୍ରଣାଳୀ ସୃଷ୍ଟି କରିବ ନାହିଁ ବରଂ ସେବା ପ୍ରଦାନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୁଦ୍ଧ ରୁମ୍ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବ। ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ୨୦୨୩ ମସିହା ଅକ୍ଟୋବର ୩୧ ତାରିଖରେ ଉପମୁଖ୍ୟମନ୍ତ୍ରୀ ଫଡନବୀସ ମଧ୍ୟ ସମାନ ଏକ ସେଲ୍ ପ୍ରତିଷ୍ଠା କରିଥିଲେ। ଏହାକୁ ନେଇ ବିବାଦ ହେବା ଉଚିତ୍ ନୁହେଁ।
ରିପୋର୍ଟ ଅନୁସାରେ ରାଇଗଡ ଓ ନାସିକ ପାଇଁ ଗାର୍ଡିଆନ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ସମାଧାନ ହୋଇପାରି ନଥିବାବେଳେ ଏହା ଏବେ ଅନ୍ୟ କ୍ଷେତ୍ରକୁ ବ୍ୟାପିବାରେ ଲାଗିଛି। ଏସବୁ ମଧ୍ୟରେ ସୋମବାର ରାଜ୍ୟ ଗୃହ ବିଭାଗ ଶିବସେନା (ସିନ୍ଦେ ଗୋଷ୍ଠୀ)ର ୨୦ ବିଧାୟକଙ୍କୁ ମିଳୁଥିବା ୱାଇ ପ୍ଲସ ସୁରକ୍ଷାକୁ ହ୍ରାସ କରିଛନ୍ତି। ଏହି ବିଧାୟକମାନେ ପୂର୍ବରୁ ମନ୍ତ୍ରୀ ଥିବାବେଳେ ସେମାନଙ୍କୁ ୱାଇ ପ୍ଲସ୍ ସୁରକ୍ଷା ମିଳୁଥିଲା। ଏବେ ସେମାନଙ୍କ ସୁରକ୍ଷା ହ୍ରାସ କରି ଜଣେ ମାତ୍ର ପୁଲିସ କନଷ୍ଟେବଳଙ୍କୁ ଦିଆଯାଇଛି। କେବଳ ଶିବସେନା ବିଧାୟକ ନୁହନ୍ତି ଶିବସେନାର କେତେକ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହ୍ରାସ କରାଯାଇଛି। ଶିବସେନା ବିଧାୟକ ଓ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପରେ ଦୁଇ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି।










