ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ବିଧାନ ପରିଷଦର ମୋଟ୍ ୧୧ ଆସନରୁ ୯ଟି ଆସନରେ ଏନ୍ଡିଏ ବିଜୟ ଲାଭ କରିଛି । ମହାରାଷ୍ଟ୍ରରେ ସମ୍ପ୍ରତି ବିଜେପି-ଶିବସେନା (ଶିନ୍ଦେ ଗୋଷ୍ଠୀ)-ଏନ୍ସିପି (ଅଜିତ୍ ପୱାର)ଙ୍କ ଦଳ ଏନ୍ଡିଏ ମେଣ୍ଟରେ ଥିବା ବେଳେ ମେଣ୍ଟ ସରକାରରେ ମଧ୍ୟ ରହିଛି । ଫଳରେ ବିଧାନ ପରିଷଦ ନିର୍ବାଚନରେ ସଂଖ୍ୟା ଗଣିତ ଅନୁସାରେ ଏନ୍ଡିଏ ବିଜୟୀ ହେବା ପୂର୍ବ ନିଶ୍ଚିତ ଥିଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ଏନ୍ଡିଏ ଏଠାରେ ପରାଜିତ ହୋଇଥିବାରୁ ସାମାନ୍ୟ ଆଶଙ୍କା ମଧ୍ୟ ରହିଥିଲା । କିନ୍ତୁ ଏବେ ବିଧାନ ପରିଷଦ ନିର୍ବାଚନରେ ୧୧ରୁ ୯ ଆସନ ହାତେଇବାରେ ସକ୍ଷମ ହୋଇଥିବା ଏନ୍ଡିଏ ପାଇଁ ଏହା ଏକ ବଡ଼ ବିଜୟ ବୋଲି କୁହାଯାଉଛି । ତେବେ ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ପ୍ରାର୍ଥୀ ପରାଜିତ ହୋଇଥିବା ବେଳେ କଂଗ୍ରେସ ଓ ଶିବସେନା (ଉଦ୍ଧବ ଠାକ୍ରେ)ଙ୍କ ପକ୍ଷରୁ ଜଣେ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହି ୩ ଦଳ ରାଜ୍ୟରେ ବିରୋଧୀ ମେଣ୍ଟ (ମହାବିକାଶ ଅଘାଡି ମେଣ୍ଟ) ଭୂମିକା ନିର୍ବାହ କରୁଥିବା ବେଳେ ୨ଟି ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି ।