19.1 C
Bhubaneswar
Tuesday, February 10, 2026
Homeଓଡିଶାସୃଷ୍ଟି ହେଲା ଲଘୁଚାପ : ୨୭ରୁ ତିନି ଦିନ ବର୍ଷା ସମ୍ଭାବନା

ସୃଷ୍ଟି ହେଲା ଲଘୁଚାପ : ୨୭ରୁ ତିନି ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଉପୂକଳ ମୁହାଁଇବ। ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡିବନି। କିନ୍ତୁ ଆସନ୍ତା ୨୭ ତାରିଖରୁ ୩ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣ ବର୍ଷାର ସମ୍ଭାବନା ରହିଛି। ୨୭ରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ୨୮ରେ ଗଞ୍ଜାମ, ଗଜପତି, ମାଲକାନଗିରି , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ରାୟଗଡା ଏବଂ କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।

୨୯ରେ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ୩ଦିନ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାଦ୍ବାରା ପାହାଡିଆ ଓ ସମତଳ ଅଞ୍ଚଳରେ ଲାଗି ରହିଥିବା ଶୀତ ପ୍ରକୋପ କମିବାର ସମ୍ଭାବନା ରହିଛି। ଫୁଲବାଣୀରେ ରାତି ତାପମାତ୍ରା ୧୦ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଦାରିଙ୍ଗବାଡି ୧୧, କୋରାପୁଟ ୧୨.୧, ରାଉରକେଲା ୧୨.୪, ବଲାଙ୍ଗିର ଏବଂ ସୁନ୍ଦରଗଡରେ ୧୨, ଭବାନୀପାଟଣାରେ ୧୨.୨ ଭୁବନେଶ୍ବର ୧୬.୧ ଏବଂ କଟକରେ ୧୬ଡିଗ୍ରୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking