ଗୁଣପୁର : ପ୍ରଥମେ ପ୍ରେମ, ପରେ ବିବାହ। ବିବାହ ପରେ ପେଟପାଟଣା ପାଇଁ କର୍ଣ୍ଣାଟକ ଗଲେ। ସେଠାରେ ମୃତ୍ୟୁ ଭଳି ଚରମ ନିଷ୍ପତ୍ତି ନେଲେ ଦମ୍ପତ୍ତି। ଶବକୁ ଆଣିବା ପାଇଁ ପୁଲିସ ଓ ପ୍ରଶାସନ ପାଖରେ ଆକୁଳ ନିବେଦନ କଲେ ପରିବାର। ଗଜପତି ଜିଲ୍ଲା ଅଡବା ଥାନା ବଚେବା ଗାଁ ର ଦୀପନ୍ତ ଶବର ରାୟଗଡ଼ା ଜିଲ୍ଲା ଗୁଣପୁରକୁ କାମ ଅନ୍ୱେଷଣରେ ଆସି ରହୁଥିଲେ। ସେଠାରେ ପୁଟାସିଂ ଥାନା ରିଜିଙ୍ଗତାଲ ଗାଁର ମଞ୍ଜୁଳା ଶବର(୨୨)ଙ୍କ ସହ ପ୍ରଥମେ ପରିଚୟ ପରେ ବନ୍ଧୁତା ଓ ତାପରେ ପ୍ରେମ ହୋଇଥିଲା। ଶେଷରେ ବାହା ହୋଇ କର୍ଣ୍ଣାଟକକୁ ଚାଲି ଯାଇଥିଲେ। ଅନ୍ୟପଟେ କାମ କରିବାକୁ ଯାଇ ମଞ୍ଜୁଳା ଘରକୁ ନ ଫେରିବା ପରେ ପରିବାର ଗତ ଅକ୍ଟୋବରରେ ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଉଭୟ ଏବେ ଏକ ଭିଡ଼ିଓ ଜାରିକରି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଶବକୁ କର୍ଣ୍ଣାଟକ ପୁଲିସ ଉଦ୍ଧାର କରିବା ପରେ ମଞ୍ଜୁଳାଙ୍କ ବାପା ଷ୍ଟିପେନ,ପରିବାର ଓ ଗ୍ରାମବାସି ଶବକୁ ଆଣିବା ପାଇଁ ପୁଲିସ ଓ ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି।










