ଭୋପାଳ: ମଧ୍ୟପ୍ରଦେଶର ଦେବାସରେ ଶ୍ରଦ୍ଧା ୱାକର ଭଳି ହତ୍ୟାକାଣ୍ଡ । ଜଣେ ଯୁବକ ୧୦ ମାସ ପୂର୍ବରୁ ଲିଭ-ଇନ ପ୍ରେମିକାକୁ ହତ୍ୟା କରି ଘରେ ଫ୍ରିଜରେ ରଖିଥିଲା । ସହରର ବିଜୁଳି ଗାଏବ ହେବା ପରେ ରୁମରୁ ଦୁର୍ଗନ୍ଧ ଆସିବାରୁ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାର ଯାଞ୍ଚ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଏହାସହିତ ପୋଲିସ ମାମଲାରେ ବଡ ଖୁଲାସା ମଧ୍ୟ କରିଛି । ଘଟଣା ଅନୁଯାୟୀ, ଇନ୍ଦୋର ବାସିନ୍ଦା ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଘରେ ୨୦୨୩ ଜୁନ୍ ମାସରୁ ଭଡ଼ାରେ ରହୁଥିଲେ ସଞ୍ଜୟ ପଟିଦାର ଏବଂ ପିଙ୍କି ଓରଫ ପ୍ରତିଭା ପ୍ରଜାପତି । ଜୁନ୍ ୨୦୨୪ରେ ସଞ୍ଜୟ ଘର ଖାଲି କରିଦେଇଥିଲେ, ହେଲେ କିଛି ଜିନିଷ ଏକ ରୁମରେ ଛାଡିଯାଇଥିଲେ । ସେହି ରୁମରେ ଏକ ଫ୍ରିଜ୍ ମଧ୍ୟ ରହିଥିଲା । ପରେ ଘର ମାଲିକ ବଲବୀର ସିଂହଙ୍କ ନାମକ ଜଣେ ବ୍ୟକ୍ତି ଘର ଭଡ଼ାରେ ଦେଇଥିଲେ ।
ତେବେ ସହରର କରେଣ୍ଟ କଟିଯାଇଥିବା ବେଳେ ସେଠାରେ ରହୁଥିବା ବଲବୀରଙ୍କୁ ରୁମରୁ ଦୁର୍ଗନ୍ଧ ଆସିଥିଲା । ଯାହା ପରେ ସେ ଘର ମାଲିକଙ୍କୁ ସୂଚନା ଦେଇଥିଲେ । ଘର ମାଲିକ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୁମର ତାଲା ଭାଙ୍ଗି ଫ୍ରିଜକୁ ଖୋଲିଥିଲା । ଏହାପରେ ପୋଲିସ ଯାହା ଦେଖିଥିଲା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ କହିବା ମୁତାବକ, ପ୍ରେମିକା ସହିତ ୫ ବର୍ଷ ଧରି ଲିଭ୍-ଇନରେ ରହୁଥିଲା ପ୍ରେମିକ ସଂଜୟ । ୩ ବର୍ଷ ଯାଏଁ ପ୍ରେମିକାକୁ ଉଜୈନରେ ରଖିବା ପରେ ଦୁଇ ବର୍ଷ ପୂର୍ବେ ଦେବାସକୁ ନେଇ ଆସିଥିଲେ ସଂଜୟ । ଦେବାସରେ ଭଡ଼ା ଘର କରି ରଖୁଥିଲେ । ପ୍ରେମିକା ଜଣକ ବିବାହ କରିବାକୁ ଚାପ ପକାଉଥିଲେ । ଫଳରେ ଏମିତି ପଦକ୍ଷେପ ନେଇଥିଲା ପ୍ରେମିକ ।
ପ୍ରେମିକାକୁ ୨୦୨୪ ମାର୍ଚ୍ଚରେ ହତ୍ୟା କରିବା ପରେ ମୃତଦେହକୁ ଫ୍ରିଜରେ ରଖିଥିଲା ପ୍ରେମିକ । ତେବେ ସଂଜୟ ନିଜ ସାଙ୍ଗ ସହିତ ରଚିଥିଲା ହତ୍ୟା ଷଡଯନ୍ତ୍ର । ମାର୍ଚ୍ଚ ୨୦୨୪ରେ ଭଡ଼ା ଘରେ ଗଳା ଚାପି ହତ୍ୟା କରିବା ପରେ ଫ୍ରିଜରେ ରଖିଥିଲା । ଏହାପରେ ଫ୍ରିଜକୁ କପଡାରେ ଘୋଡାଇ ଦେବା ପରେ ରୁମକୁ ଲକ୍ କରିଦେଇଥିଲା । ପୋଲିସ ଫ୍ରିଜରୁ ଜଣେ ଯୁବତୀଙ୍କ ମୃତଦେହକୁ ଜବତ କରିଥିଲା । ମୃତଦେହଟି ସଂପୂର୍ଣ୍ଣ ଭାବେ କଳା ପଡିଯାଇଥିଲା । ପୋଲିସ ଏହି ମାମଲାରେ ପଡୋଶୀଙ୍କୁ ପଚରାଉଚରା କରିଥିଲା । ପଡୋଶୀଙ୍କ କହିବା ମୁତାବକ, ପ୍ରତିଭା ଓରଫ ପିଙ୍କିକୁ ମାର୍ଚ୍ଚ ୨୦୨୪ରେ ପରେ କେହି ଦେଖିନଥିଲେ ବୋଲି କହିଥିଲେ । ସଂଜୟଙ୍କୁ ପଡୋଶୀ ପଚାରିବାରୁ ସେ ବାପ ଘରକୁ ଯାଇଥିବା କହିଥିଲେ ।ପଡୋଶୀଙ୍କ ଠାରୁ ପଚରାଉଚରା କରି ପୋଲିସ ଟିମ୍ ସଂଜୟ ପାଟିଦାରଙ୍କୁ ଧରିବା ପାଇଁ ଉଜୈନ ପହଞ୍ଚି ଗିରଫ କରିଥିଲା ।