ଭୁବନେଶ୍ୱର: ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ଯେତେବେଳେ ଆସିବେ ଶୁଣନ୍ତୁ । ରାତି ୨ଟାରେ ବି ଆସିଲେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ । ଆଜି ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଉପସ୍ଥିତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ସମ୍ବୋଧନ ଜରିଆରେ ତାଗଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡାହାର ମାତ୍ର ୯.୭୩ ଥିଲା । ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ଆମ ସରକାର ଏହାକୁ ବରଦାସ୍ତ କରିବନି । ସପ୍ତାହେ ଭିତରେ ଏ ସମ୍ପର୍କିତ ପେଣ୍ଡିଂ ମାମଲା ଜଣାଇବାକୁ ମୁଖ୍ୟମନ୍ତ୍ରୀ ଏସପିମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପୁଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ମାଧ୍ୟମରେ ଜଣାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ପୁଲିସର ମନ୍ତ୍ର ସେବା ଓ ସୁରକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।










