18.1 C
Bhubaneswar
Saturday, December 20, 2025
Homeଓଡିଶାବଜ୍ରପାତ ନେଲା ୧୦ଜୀବନ

ବଜ୍ରପାତ ନେଲା ୧୦ଜୀବନ

ଜୟପୁର,ଧର୍ମଶାଳା, ସୋର,ଢେଙ୍କାନାଳ: କାଳ ସାଜିଲା କାଳବୈଶାଖୀ। ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ଜଣଙ୍କ ଜୀବନ ଯାଇଛି। କୋରାପୁଟ ଜିଲ୍ଲାରେ ବଜ୍ରପାତ ଘଟି ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ୨, ଗଞ୍ଜାମ ଜିଲ୍ଲାରେ ୨, ବାଲେଶ୍ୱର ଜିଲ୍ଲାରେ ୧, ଢେଙ୍କାନାଳରେ ୧ ଏବଂ ଗଜପତି ଜିଲ୍ଲାରେ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ କୋରାପୁଟ ଜିଲ୍ଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗ୍ରାମ ନିକଟ ଏକ ଧାନ ବିଲରେ ଏକାଧିକ ଲୋକ କାମ କରୁଥିଲେ। ଏହି ସମୟରେ ହଠାତ୍ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଈ, ନାତୁଣୀ ଆଶ୍ରୟ ନେଇଥିବା ବେଳେ ସେଠାରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଆଈ ବୁଦ୍ରୀ ମାଣ୍ଡିଙ୍ଗା(୬୦) ଓ ନାତୁଣୀ କସା ମାଣ୍ଡିଙ୍ଗା (୧୬)ଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଏକ ଗଛତଳେ ଆଶ୍ରୟ ନେଇଥିବା ଅମ୍ବିକା କାଶୀ(୩୫)ଙ୍କର ମଧ୍ୟ ବଜ୍ରପାତରେ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତର ବୁରୁସାହି

ଗ୍ରାମରେ ବଜ୍ରପାତ ଘଟି ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଗ୍ରାମର ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି ଚେତାର (୧୨) ଓ ଅର୍ଜୁନ ହେମ୍ବ୍ରମଙ୍କ ପୁଅ ତାରା ହେମ୍ବ୍ରମ (୧୩) ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାବରା ଗ୍ରାମଠାରେ ବିଲ ବାହାଳ ମଧ୍ୟରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କାମକରି ଘରକୁ ଫେରୁଥିବା ବେଳେ ସ୍ୱର୍ଗତ ନୋହୋରା ଦିଆଣିଙ୍କ ପୁଅ ସନାତନ ଦିଆଣି(୪୫) ବଜ୍ରାଘାତର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମ୍ରୃତ୍ୟୁ ହୋଇଥିଲା।

ସେହିପରି ଔପଦା ବ୍ଲକ ଦାରିପୋଖରୀରେ ରହି ଔପଦା ବନ ବିଭାଗ ଅଧିନରେ ଶ୍ରମିକ ଭାବେ କାମ କରୁଥିବା ଚୁନାରାମ କିସ୍କୋ (୩୧)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। କାମ ସାରି ସମ୍ପର୍କୀୟଙ୍କ ଘର ବାଲିମୁଣ୍ଡଳୀ ମାଝୀ ସାହିକୁ ଫେରୁଥିବା ବେଳେ ରାସ୍ତାରେ ବଜ୍ରପାତର ଶିକାର ହୋଇଥିଲେ। ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟିଂ ଗ୍ରାମରେ ବୋଲି ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେବ୍ରୀ ବରପୁରରେ ଏକ ଆମ୍ୱ ତୋଟାରୁ ଆମ୍ୱ ଗୋଟାଉଥିବା ବେଳେ ବଜ୍ରପାତ ହେବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। କବିସୂର୍ଯ୍ୟନଗର ଏ ବରିଡ଼ା ଗାଁରେ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ରଙ୍କ ନାମ ଏମ୍ ପ୍ରକାଶ ପ୍ରଧାନ ବୋଲି ଜଣାପଡ଼ିଛି। ସେହିପରି ଗଜପତି ଜିଲ୍ଲା ମୋହନା ଆର୍‌. ଉଦୟଗିରି କାନକଟା ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବତୀ ଜଣକ ନିଜର ଦୋକାନ ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking