16.1 C
Bhubaneswar
Sunday, December 7, 2025
Homeଓଡିଶାବଜ୍ରାଘାତ ନେଲା ୧୦ ଜୀବନ

ବଜ୍ରାଘାତ ନେଲା ୧୦ ଜୀବନ

ଭୁବନେଶ୍ୱର : ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁ ମୋଟ୍ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଆହତ ହୋଇଛନ୍ତି । ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଏହି ଅଘଟଣ ଘଟିଛି ।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେର୍ଦ୍ଦା ପଞ୍ଚାୟତର ଗୋବରଗଡ଼ିଆ ଗ୍ରାମରେ ବଜ୍ରାଘାତ ଘଟି ଦମ୍ପତିଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଲଛମନ ମୁର୍ମୁ ଓ ତାଙ୍କ ପତ୍ନୀ ସାକର ମୁର୍ମୁ । ଉଭୟ ବିଲରେ ତଳି ରୋଇଲା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଆଉ ତା’ପରେ ସେହି ବିଲ୍‌ରେ ସଜ୍ଞା ହରାଇ ପଡ଼ି ଯାଇଥିଲେ ଦମ୍ପତି । ତେବେ ଆଖପାଖ ବିଲ୍‌ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକ ଆଗରପଡ଼ା ଅଞ୍ଚଳରେ ହୋଇଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଅପରାହ୍ଣରେ ସାହୁପଡ଼ା ଗାଁର ଅମର ସେଠୀ କେନାଲ ବ୍ରିଜ୍ ନିକଟରେ ଚାଷ କାମ କରୁଥିବା ବେଳେ ତାରିଣୀ ମନ୍ଦିର ନିକଟସ୍ଥ କ୍ଷେତରେ ଚାଷ କାର୍ଯ୍ୟ କରୁଥିବା ଚକ୍ରଧର ଦାସ । ଠିକ୍ ସେହି ସମୟରେ ବଜ୍ରପାତ ହେବାରୁ ଉଭୟ ଗୁରୁତର ହୋଇ ଚାଷଜମିରେ ପଡ଼ି ଯାଇଥିଲେ । ଅନ୍ୟ ଚାଷୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅମରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଚକ୍ରଧରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି । ଆଗରପଡ଼ା ଥାନା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁରେ ବଜ୍ରାଘାତରେ ହେମନ୍ତ ବାରିକଙ୍କ ମୃତ୍ୟୁ ଘଟିଥିବା ବେଳେ କାଣ୍ଡଗରଡ଼ି ପଞ୍ଚାୟତର ହିମାଂଶୁ ବାରିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶୋ ଗ୍ରାମର ହରି ବେହେରା (୬୫) ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ଘଟିଛି । ସେ ରେଙ୍ଗାଲି କେନାଲ ନିକଟରେ ଥିବା ବଢ଼େଇବେଣି ମୌଜାରେ ଥିବା ନିଜ ବିଲକୁ ଯାଇଥିଲେ । ଅପରାହ୍ଣ ୩ଟାରେ ହଠାତ ବର୍ଷା ହେବାରୁ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ରେଙ୍ଗାଲି କେନାଲ ନିକଟରେ ସେ ପଡ଼ିଯାଇଥିଲେ । ନିକଟରେ କାମ କରୁଥିବା ବଡକାଠିଆ ଗ୍ରାମର ଦୁଇଜଣ ଚାଷୀ ତାଙ୍କ ଘରକୁ ଖବର ଦେବା ପରେ ଘର ଲୋକ ତାଙ୍କୁ ଭୁବନ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କେନ୍ଦୁଝର ଜିଲ୍ଲା ତେଲକୋଇର ଗୁଡ଼ିକଂସରେ ବଜ୍ରାଘାତ ଯୋଗୁଁ ୨ ଜଣ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୁରୁଡ଼ିଆମ୍ବ ଗାଁରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି ।

ଟାଙ୍ଗୀ ଚୌଦ୍ୱାର ବ୍ଲକ ଜରିପଡା ପଞ୍ଚାୟତ ଅନ୍ତର୍ଗତ ଟିକରା ଗ୍ରାମର ସୁନାକର ମହାରଣା (୬୩)ଙ୍କ ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି । ସୁନାକର ବିଲରୁ ଘରକୁ ଫେରିବା ବେଳେ ବଜ୍ରପାତ ହେବାରୁ ସେ ବିଲରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବିଲରୁ ଉଦ୍ଧାର କରି ଆଣିବା ପରେ ସରପଞ୍ଚଙ୍କ ପ୍ରତିନିଧି ଅମୂଲ୍ୟ କୁମାର ବେହୁରା ଆମ୍ବୁଲାନ୍ସ ଡକାଇ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଅସନଝର ପଞ୍ଚାୟତ ସୁନାଚରା ଗ୍ରାମରେ ଧାନ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ସୁକାନ୍ତି ଯେନା ।

କେନ୍ଦ୍ରାପଡ଼ା ରାଜକନିକା ଥାନା ଗୁଆଳି ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ଥାନା ତୋଲଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking