ଭୁବନେଶ୍ୱର: ଆମେ ସମସ୍ତେ ଆମ ଜୀବନର ପ୍ରାରମ୍ଭିକ ସମୟରେ ଅନେକ କିଛି ଶିଖୁ । କିନ୍ତୁ ବୟସ ବଢିବା ସହିତ ଆମର ପିଲାଦିନରେ ଘଟିଥିବା ଅଧିକାଂଶ ଘଟଣାକୁ ସମ୍ପୂର୍ଣ୍ଣ ଭୁଲିଯାଉ । ଆପଣ କେବେ ଭାବିଛନ୍ତି କି ଏହା କାହିଁକି ହୁଏ? ବିଗତ ଅନେକ ବର୍ଷ ଧରି ବିଶ୍ୱରେ ଅନେକ ବୈଜ୍ଞାନିକ ଏହି ବିଷୟରେ ଗବେଷଣା କରୁଛନ୍ତି । ଆସନ୍ତୁ ଜାଣିବା ମସ୍ତିଷ୍କ କାହିଁକି ପିଲାଦିନର ଘଟଣାବଳୀକୁ ମନେ ରଖିବାରେ ସକ୍ଷମ ନୁହେଁ ।
ଗବେଷକମାନେ ସର୍ବଦା ବିଶ୍ୱାସ କରନ୍ତି ଯେ ଆମର ମସ୍ତିଷ୍କର ଅଂଶ ଯାହା ସ୍ମୃତି ଗଚ୍ଛିତ କରେ, ତାହାକୁ ହିପୋକ୍ୟାମ୍ପସ୍ କୁହାଯାଏ। ମସ୍ତିଷ୍କର ଏହି ବିଶେଷ ଅଂଶ ଯଥା ହିପୋକାମ୍ପସ୍ ପିଲାଦିନେ ସଂପୂର୍ଣ୍ଣ ବିକଶିତ ହୁଏ ନାହିଁ । ଅନୁସନ୍ଧାନକାରୀଙ୍କ ଅନୁସାରେ ଯୁବାବସ୍ଥା ପର୍ଯ୍ୟନ୍ତ ହିପୋକ୍ୟାମ୍ପସ୍ ସମ୍ପୂର୍ଣ୍ଣ ରୂପେ ବିକଶିତ ହୁଏ ନାହିଁ, ତେଣୁ ଆମର ମସ୍ତିଷ୍କ ପିଲାଦିନରୁ ଅଧିକାଂଶ ଜିନିଷ ମନେ ରଖିବାରେ ଅସମର୍ଥ । ୟେଲ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗବେଷକମାନେ ଏହି ପ୍ରସଙ୍ଗରେ ଯାହା ବିଶ୍ୱାସ କରୁଥିଲେ ତାହା ଭୁଲ । ଏନେଇ ଗବେଷଣା କରିବା ସମୟରେ ୟେଲ ବିଶ୍ୱବିଦ୍ୟାଳୟର ଗବେଷକମାନେ ଶିଶୁମାନଙ୍କୁ ନୂତନ ଛବି ଦେଖାଇଲେ ଏବଂ ପରେ ଦେଖିଲେ ସେମାନେ ସେହି ଛବିଗୁଡ଼ିକୁ ମନେରଖିବାକୁ ସକ୍ଷମ କି ନୁହେଁ ।
ପ୍ରଥମ ଥର ପାଇଁ ଏକ ଛବି ଦେଖିବାବେଳେ ଶିଶୁମାନଙ୍କର ହିପୋକ୍ୟାମ୍ପସ୍ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ଏବଂ ପରେ ସେମାନେ ସମାନ ଚିତ୍ରକୁ ଚିହ୍ନିବାରେ ଅଧିକ ସକ୍ଷମ ହୋଇଥିଲେ । ଏହି ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଛୋଟ ପିଲାମାନଙ୍କର ମନେ ରଖିବାର କ୍ଷମତା ଅଛି । ଯାହାକୁ ଗବେଷକମାନେ ପୂର୍ବରୁ ବୁଝିପାରୁନଥିଲେ । ଏହି ଅନୁସନ୍ଧାନ ୨୦ ମାର୍ଚ୍ଚ ୨୦୨୫ରେ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଆମର ମସ୍ତିଷ୍କ ଅନେକ ବର୍ଷ ପରେ ପିଲାଦିନରୁ ଘଟଣାକୁ ମନେ ରଖିପାରେ ।
ଏହା ପରେ ଅନୁସନ୍ଧାନକାରୀମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଯଦି ଛୋଟ ପିଲାମାନଙ୍କର ହିପୋକ୍ୟାମ୍ପସ୍ ଅଧିକ ସକ୍ରିୟ ହୋଇଯାଏ, ତେବେ ପିଲାଦିନେ ସେମାନଙ୍କ ଦ୍ୱାରା ଗଚ୍ଛିତ ସ୍ମୃତି ସମୟ ସହିତ କେଉଁଠାକୁ ଯାଏ ଏବଂ ସେମାନଙ୍କ ସହିତ କ’ଣ ହୁଏ ? ଆମ ଜୀବନର ପ୍ରାରମ୍ଭ ବର୍ଷରେ ଘଟିଥିବା ଅଧିକାଂଶ ଘଟଣା କାହିଁକି ଆମେ ମନେ ରଖିବାରେ ସକ୍ଷମ ନୁହଁ ? ବୈଜ୍ଞାନିକମାନଙ୍କ ଭାଷାରେ ଏହାକୁ ‘ଶିଶୁ ଆମନେସିଆ’ କୁହାଯାଏ, କିନ୍ତୁ ଏହି ବିଷୟ ଉପରେ ଗବେଷଣା କରିବା କଷ୍ଟକର ।