32.1 C
Bhubaneswar
Sunday, June 22, 2025
Homeଓଡିଶାଓଡ଼ିଶାର ସମୃଦ୍ଧ ଇତିହାସ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ : ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାର ସମୃଦ୍ଧ ଇତିହାସ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଓଡ଼ିଶାର ଇତିହାସ ହେଉଛି ସମୃଦ୍ଧ। ଏହି ସମୃଦ୍ଧ ଇତିହାସ ଯୁବବର୍ଗଙ୍କୁ ପ୍ରେରିତ କରୁ। ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଚିନ୍ତା ଚେତନାର ଉନ୍ମେଷ ନିମନ୍ତେ ଆମ ଇତିହାସ ଏକ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ। ଓଡ଼ିଆ ଜାତୀୟତାବାଦ କେବେ ହେଲେ ମଧ୍ୟ ଆଞ୍ଚଳିକତାବାଦ ମଧ୍ୟରେ ସୀମିତ ନୁହେଁ। ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବା, ବିଚାର ଓ ବିତର୍କ କରି ନିଷ୍କର୍ଷରେ ଉପନୀତ ହେବା ହେଉଛି ଆମ ଗଣତାନ୍ତ୍ରିକ ରାଷ୍ଟ୍ରର ସୌନ୍ଦର୍ଯ୍ୟ। ତେଣୁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ଅନୁଷ୍ଠିତ ହେଉଥିବା କଳିଙ୍ଗ ଯୁଦ୍ଧ କର୍ମଶାଳାରେ କଳିଙ୍ଗ ଯୁଦ୍ଧର ଇତିହାସ ସମ୍ବନ୍ଧରେ ଆଲୋଚନା କରାଯାଇ ଏହି ଆଲୋଚନା ଚକ୍ରର ନିଷ୍କର୍ଷକୁ ଦସ୍ତାବିଜ ଆକାରରେ ପ୍ରସ୍ତୁତ କରାଯିବ ଯାହାକି ଆମ ଉତ୍ତରପିଢ଼ିଙ୍କୁ ଆମ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବ। ଆଗାମୀ ଦିନରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଆମ ଯୁବପିଢ଼ି ଏକ ବଳିଷ୍ଠ ନେତୃତ୍ୱ ନେବେ ଏବଂ କଳିଙ୍ଗର ଦାୟାଦ ଭାବରେ ସେମାନେ ଗର୍ବର ସହ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସ ଠାରେ କଳିଙ୍ଗ ଯୁଦ୍ଧ କର୍ମଶାଳାର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି କର୍ମଶାଳାରେ ଯୋଗଦେଇ କଳିଙ୍ଗ ଯୁଦ୍ଧର ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିସହିତ ଓଡ଼ିଶାର ନୌବାଣିଜ୍ୟ ଇତିହାସ, ଓଡ଼ିଶାର ନୌସେନାର ଇତିହାସ, ବିଭିନ୍ନ ବୌଦ୍ଧ କୀର୍ତ୍ତିରାଜି ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ। ଏହା ସହିତ ଆଲୋଚନା ଚକ୍ରର ନିଷ୍କର୍ଷକୁ ଦସ୍ତାବିଜ ଭାବେ ପ୍ରସ୍ତୁତ କରି ଏହାର ଯେପରି ସଠିକ ଭାବେ ଚିନ୍ତନ, ମନନ ଏବଂ ଅନୁଶୀଳନ କରାଯାଇପାରିବ ସେ ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଗୁରୁତ୍ୱାରୋପ କରିବା ନିମନ୍ତେ ମନ୍ତ୍ରୀ ମତପ୍ରକାଶ କରିଥିଲେ।

ଆଜିର ଏହି କର୍ମଶାଳାରେ “କଳିଙ୍ଗ ଯୁଦ୍ଧ ପୂର୍ବ କଳିଙ୍ଗ ରାଜ୍ୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାମରିକ ସ୍ଥିତି”, “କଳିଙ୍ଗ ଯୁଦ୍ଧ କାଳ ଖଣ୍ଡରେ କଳିଙ୍ଗ ରାଜ୍ୟର ସ୍ଥିତି”, “କଳିଙ୍ଗ ଯୁଦ୍ଧ ପରର କଳିଙ୍ଗର ସ୍ଥିତି” ଆଦି ଶୀର୍ଷକକୁ ନେଇ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ, କଥାକାର, ସ୍ତମ୍ଭକାର ଓ ଇତିହାସ ବିଶେଷଜ୍ଞ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ସୁସାହିତ୍ୟିକ ତଥା ସ୍ତମ୍ଭକାର ଶ୍ରୀ ଅଭୟ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking