ଭୁବନେଶ୍ୱର: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ଯ୍ୟଦିବସ ରହିଛି । ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ବାକି ୬ ଦିନ ସରକାରୀ କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ସୂଚନା ମିଳିଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ଓ ସାର ଅଭାବ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଜୋର୍ଦାର ଆକ୍ରମଣ କରିବାର ସମ୍ଭାବନା ରହିଛି । କଂଗ୍ରେସ ଏନେଇ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରେ । ସେହିପରି ଚାଷୀ ସମସ୍ୟା, ସାର ଅଭାବ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ମଧ୍ୟ ଆକ୍ରମଣ କରିପାରେ ।










