ଭୁବନେଶ୍ୱର: ବିଭିନ୍ନ ଅନୁଷ୍ଠାନ ସମୂହର ମିଳିତ ସ୍ବର – ‘ମିଳିତ ମଞ୍ଚ’ର ଶାଖା ଭୁବନେଶ୍ବର ଜିଲ୍ଲା ଅଭିଯାନ ପକ୍ଷରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବି କାରି ଭୁବନେଶ୍ବର କୋର୍ଟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏଥି ସହ ଦୁଇ ଦିନିଆ ଦସ୍ତଖତ ସଂଗ୍ରହ ଆରମ୍ଭ କରାଯାଇଥିଲା। କୋର୍ଟ ଗେଟ୍ ସମ୍ମୁଖରେ ଭୁବନେଶ୍ବର ଓକିଲ ସଂଘର ବରିଷ୍ଠ ଆଇନଜୀବୀ, ମହିଳା ଓ ଯୁବ ଆଇନଜୀବୀ ଏଥିରେ ସାମିଲ ହୋଇ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ଦାବି କରିଥିଲେ। ସେମାନେ କହିଥିଲେ ବର୍ତ୍ତମାନ ଭୁବନେଶ୍ବରର ଜନସଂଖ୍ୟା ଯଥେଷ୍ଟ ବଢ଼ିଗଲାଣି। ୧୯୯୨ର ଜିଲ୍ଲା ଗଠନ ବେଳେ ଏହାର ଲୋକସଂଖ୍ୟା ଥିଲା ୧୧ଲକ୍ଷ । ମାତ୍ର ଏବେ ଏହା ବଢ଼ି ୨୩ଲକ୍ଷରେ ପହଞ୍ଚିଲାଣି ।
ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳରେ କାର୍ଯ୍ୟକରୁଥିବା ବେଳେ ୩ନିର୍ବାଚନ ମଣ୍ଡଳିରେ ଲୋକ ସଂଖ୍ୟା ୧୩ଲକ୍ଷରେ ପହଞ୍ଚିଲାଣି । ଭୁବନେଶ୍ବରରୁ ଜଣେ ସାଧାରଣ ଲୋକ ସେଠାରୁ ଖୁରୁଧାରେ ପହଞ୍ଚିବାକୁ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଲାଗୁଛି। ସେହିପରି ବାଲିଅନ୍ତା ବାଲିପାଟଣା ଖୁରୁଧାକୁ ଗଲେ ସକାଳୁ ସନ୍ଧ୍ୟା ହୋଇଯିବ। ୧୩ ଜିଲ୍ଲା ପୂର୍ନଗଠନ ପୂର୍ବରୁ ମଧ୍ୟ ଜଷ୍ଟିସ୍ ଦାସ କମିଶନ ତାଙ୍କ ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା ଗଠନ ପାଇଁ ସୁପାରିଶ କରିଥିଲେ । ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତବ ରଖି ବହୁ କାର୍ୟ୍ୟାଳୟ ଏଠାରେ ସ୍ଥାପନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ ।
ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ହେଉକି ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଦେଖା ଦେଲେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇ ସମାଧାନ କରିପାରିବେ । ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଆଉ କେତେଦିନ ସବ୍ଡିଭିଜନ୍ ଅଧିନରେ ରହିବା ବୋଲି ମଞ୍ଚର ଆବାହକ ଲିଙ୍ଗରାଜ ସାହୁ କହିଥିଲେ। ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆବଶ୍ୟକ ଥିବାରୁ ଆଇନଜୀବୀମାନେ ଏଥିରେ ସାମିଲ ହୋଇଥିଲେ। ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଆଇନଜୀବୀ ସ୍ବାକ୍ଷର ଦେଇଥିଲେ। ପ୍ରକାଶ ଥାଉକି, ପୂର୍ବରୁ ମଞ୍ଚ ପକ୍ଷରୁ ଭୁବନେଶ୍ୱର ପ୍ରାୟ ସବୁ ପୂଜା କମିଟିର ମୁଖ୍ୟ, ଭୁବନେଶ୍ୱର ବାଲିଯାତ୍ରା, ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି ଅଞ୍ଚଳରୁ ୨୦ହଜାର ମୁରବୀଙ୍କ ଲିଙ୍ଗରାଜ ସାହୁଙ୍କ ଆବାହକତ୍ବରେ ଦସ୍ତଖତ ସଂଗ୍ରହ କରାଯାଇଛି। ଆଜି ଏହି ଅଭିଯାନରେ ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ଆତ୍ମପ୍ରକାଶ ମହାନ୍ତି, ଓକିଲ ସଙ୍ଘ ପୂର୍ବତନ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ପୂର୍ବତନ ଉପସଭାପତି ଶିଳାଭଦ୍ର ଶାସ୍ତ୍ରୀ, ଅଞ୍ଜନ ସାମନ୍ତରାୟ, ପୂର୍ବତନ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଆଇନଜୀବି ହରପ୍ରିୟା ସାମନ୍ତରାୟ, ପ୍ରସନ୍ନ ମିଶ୍ର, ସରୋଜ କୁମାର ସାହୁ, ଶୁଭ୍ରାନ୍ସୁ ଭୂଷଣ ମିଶ୍ର, ଅକ୍ଷୟ କୁମାର ଦାସ, ମୁରଲି ମନୋହର ପାତ୍ର, ବିମଳ କିଶୋର ଦାସ, ଲକ୍ଷ୍ମୀପ୍ରସାଦ ମହାପାତ୍ର ଆଦି ସାମିଲ ହୋଇଥିଲେ।