ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଏକ ଚାରି ଦିବସୀୟ ଦକ୍ଷତା ବିକାଶ ତାଲିମ୍ ତଥା କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସୂଚନା ଆୟୁକ୍ତ ଶ୍ରୀ ଦିଲ୍ଲୀପ୍ କୁମାର ବିଷୋୟୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନୋଡାଲ୍ ପିଆଇଓ (PIO), ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ (first appellate authority) ଓ ଅଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ କର୍ମଶାଳାର ଉଦଘାଟନରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ ଓ ସମବାୟ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ବିଶୋୟୀ ସୂଚନା ଅଧିକାର ଆଇନ-୨୦୦୫ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଇନ ନାଗରିକମାନଙ୍କୁ ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇବାକୁ କ୍ଷମତା ଦିଏ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରଶାସନକୁ ପ୍ରୋତ୍ସାହିତ କରେ । ସରକାରୀ କର୍ତ୍ତୃପକ୍ଷଙ୍କୁ ଦକ୍ଷ କରିବା ପାଇଁ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ସୂଚନା ଅଧିକାର ଆଇନର ବିଭିନ୍ନ ଧାରା, ଏହାର କାର୍ଯ୍ୟପ୍ରଣାଳୀ ଓ ନିଜ ଅନୁଭବ ଆଧାରିତ ଅନେକ ଉଦାହରଣ ମାଧ୍ୟମରେ ସେ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ସେହିପରି ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ସୂଚନା ଅଧିକାର ଆଇନର ଗୁରୁତ୍ୱ ଉପରେ ଆଲୋକପାତ କରି ସରକାରୀ ପ୍ରଶାସନର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ ବୃଦ୍ଧିରେ ଏହି ଆଇନର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ ଆରଟିଆଇ ଆବେଦନ ଗ୍ରହଣ କରିବା ଏବଂ ଉଚିତ୍ ସମୟରେ ଉତ୍ତର ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।
ଏହି ଚାରି ଦିବସୀୟ କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ଯଥା, ସମବାୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ଅର୍ଥ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ପାନୀୟ ଜଳ, ଉଚ୍ଚ ଶିକ୍ଷା, ସ୍ବରାଷ୍ଟ୍ର, ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବସେବା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଜଳସମ୍ପଦ, ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ, ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ ରାଜ୍ୟବୀମା କର୍ମଚାରୀ, ଆଇନ, ଏମଏସଏମଇ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିବେ । ୪ ଟି ପର୍ଯ୍ୟାୟରେ ସମସ୍ତ ବିଭାଗର କର୍ତ୍ତୃପକ୍ଷଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।










