କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣାର ଖବର। ଜମି ବିବାଦକୁ ନେଇ ବୁଲିଲା ଖଣ୍ଡା। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତନ୍ତିଆ ପାଳ ଥାନା ଅନ୍ତର୍ଗତ କଣ୍ଟିଲୋ ଛକଠାରେ ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ଏଥିରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ତନ୍ତିଆପାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୂଚନାନୁସାରେ, ଏହି ଗ୍ରାମର ଦୁଇ ପରିବାର ମଧ୍ୟରେ ଜମି କିଣାବିକା ହୋଇଥିଲା। ଜମି ବିକ୍ରି କରିବା ଲୋକ ଜମି କ୍ରେତାଙ୍କୁ ଜମି ଫେରାଇବା ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଜଣେ ଯୁବକ କିଛି ପିଲାଙ୍କୁ ସାଙ୍ଗରେ ନେଇ ଆସି ଦୁଇଟି ଖଣ୍ଡା ବୁଲାଇଥିଲେ। ଫଳରେ ଲୋକମାନେ ଭୟଭୀତ ହୋଇ ମୁଖ୍ୟ ଯୁବକକୁ ଅଟକ ରଖି ଥାନାବାବୁଙ୍କୁ ହସ୍ତାନ୍ତର କରିଥିଲେ। ଥାନାରେ ଅଟକ ଥିବା ଯୁବକ ଅର୍ଜୁନ ମାନ୍ନା ବୋଲି ଚିହ୍ନଟ କରାଯାଇଛି।










