24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବାତିଲ ହେବ ଲଳିତ ମୋଦୀଙ୍କ ଭାନୁଆଟୁ ନାଗରିକତା

ବାତିଲ ହେବ ଲଳିତ ମୋଦୀଙ୍କ ଭାନୁଆଟୁ ନାଗରିକତା

ନୂଆଦିଲ୍ଲୀ: ପଳାତକ ଭାରତୀୟ ବ୍ୟବସାୟୀ ଲଳିତ ମୋଦୀଙ୍କୁ ଶରଣ ତଥା ନାଗରିକତା ପ୍ରଦାନ କରିଥିବା ଭାନୁଆଟୁର ମନୋଭାବ ପରିବର୍ତ୍ତନ ହୋଇଛି। ଲଳିତ ମୋଦୀଙ୍କୁ ଦିଆଯାଇଥିବା ନାଗରିକତାକୁ ତୁରନ୍ତ ରଦ୍ଦ ତଥା ବାତିଲ କରିବାକୁ ଭାନୁଆଟୁ ପ୍ରଧାନମନ୍ତ୍ରୀ ଜୋଥାମ ନାପାଟ୍ ନିର୍ଦ୍ଦେଶ ଦେଇଛନ୍ତି। ଭାନୁଆଟୁର ନାଗରିକତ୍ୱ ଲଳିତ ମୋଦୀ ପାଇଛନ୍ତି ବୋଲି ଭାରତ ସରକାର ନିଶ୍ଚିତ କରିବାର ତିନି ଦିନ ପରେ ଭାନୁଆଟୁ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆସିଛି। ପ୍ରକାଶ, ଦୁର୍ନୀତି ମାମଲାରେ ଲଳିତ ମୋଦୀ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଅଛନ୍ତି। ତେବେ ସେ ସମ୍ପ୍ରତି ପ୍ରଶାନ୍ତ ମହାସାଗରର ୮୦ରୁ ଅଧିକ ଦ୍ୱୀପକୁ ନେଇ ଗଠିତ ଦ୍ୱୀପରାଷ୍ଟ୍ର ଭାନୁଆଟୁର ନାଗରିକତା ହାସଲ କରିଥିବା ନେଇ ଭାରତକୁ ପ୍ରମାଣ ମିଳିବା ପରେ ଏସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଭାନୁଆଟୁ ସରକାରଙ୍କୁ ଅବଗତ କରାଇଥିଲା। ତେବେ ଏସମ୍ପର୍କରେ ଭାନୁଆଟୁ ପ୍ରଧାନମନ୍ତ୍ରୀ ତୁରନ୍ତ ଲଳିତ ମୋଦୀଙ୍କ ନାଗରିକତା ଖାରଜ କରିବାକୁ ନିଜ ଦେଶର ନାଗରିକତା କମିଶନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଥିବା ବେଳେ ନିଲାମରେ ହେରଫେର କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଲଳିତ ମୋଦୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ଥିବା ବେଳେ ବ୍ୟାପକ ଠକେଇ, ମନି ଲଣ୍ଡରିଂ ଏବଂ ବିଦେଶୀ ମୁଦ୍ରା ପରିଚାଳନା ଆଇନ୍‌-୧୯୯୯ (ଏଫ୍‌ଇଏମ୍‌ଏ) ଉଲ୍ଲଂଘନ କରିଥିବା ଅଭିଯୋଗରେ ଅଭିଯୁକ୍ତ ରହିଛନ୍ତି। ୨୦୧୦ରୁ ବ୍ରିଟେନରେ ରହୁଥିବା ଲଳିତ ମୋଦୀ ଏହି ଅଭିଯୋଗକୁ ସବୁବେଳେ ଖଣ୍ଡନ କରିଆସୁଛନ୍ତି। କିନ୍ତୁ ଏବେ ସେ ଭାନୁଆଟୁ ଚାଲିଯାଇ ସେଠିକାର ନାଗରିକତା ଗ୍ରହଣ କରିଥିବା ଜଣାପଡିଛି। କିନ୍ତୁ ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ଲଳିତ ମୋଦୀଙ୍କ ଭାନୁଆଟୁ ପାସପୋର୍ଟ ବାତିଲ କରିବାରେ ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତର ହାଇକମିଶନର ନୀତା ଭୂଷଣ, ଅନ୍ୟ କିଛି ଦ୍ୱୀପ ଦେଶ ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଭାନୁଆଟୁ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ଦେଶ । ଏହା ୮୩ଟି ଦ୍ୱୀପକୁ ନେଇ ଗଠିତ ଏକ ଦ୍ୱୀପପୁଞ୍ଜ, ଯେଉଁଥିରେ ୬୫ଟି ଦ୍ୱୀପରେ ମଣିଷ ବାସ କରନ୍ତି। ଭାନୁଆଟୁ ଅଷ୍ଟ୍ରେଲିଆର ପୂର୍ବ ଓ ନ୍ୟୁଜିଲାଣ୍ଡର ଉତ୍ତରରେ କିମ୍ବା ଅଷ୍ଟ୍ରେଲିଆ ଓ ଫିଜି ମଧ୍ୟରେ ଅବସ୍ଥିତ। ଏହାର ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ପୋର୍ଟ ଭିଲା, ଯାହା ଏଫେଟ୍ ଦ୍ୱୀପରେ ଅବସ୍ଥିତ । ଭାନୁଆଟୁ ଗଣତନ୍ତ୍ରର ଜାତୀୟ ଭାଷା ହେଉଛି ବିସଲାମ (ଏକ କ୍ରେଓଲ ଭାଷା)। ସରକାରୀ ଭାଷା ଗୁଡ଼ିକ ହେଲା ବିସ୍ଲାମା, ଇଂରାଜୀ ଓ ଫ୍ରେଞ୍ଚ। ସବୁଠୁ ବଡ଼କଥା ହେଉଛି ଭାନୁଆଟୁ ଏକ ଲାଭା ଉଦ୍ଗୀରଣ ତଥା ଭୂକମ୍ପ ପ୍ରପୀଡିତ ଦ୍ୱୀପ ଦେଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking