27.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶ‘ଲାଲ ଡାଏରୀ’ ଖୋଲିବ ଚାଙ୍ଗୁର ବାବାଙ୍କ ଅସଲ ମୁଖା

‘ଲାଲ ଡାଏରୀ’ ଖୋଲିବ ଚାଙ୍ଗୁର ବାବାଙ୍କ ଅସଲ ମୁଖା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଚାଙ୍ଗୁର ବାବା ଓରଫ୍ ଜମାଲୁଦ୍ଦିନ୍‌ଙ୍କ ସମ୍ପର୍କରେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି । ଜମାଲୁଦ୍ଦିନଙ୍କ କଳାସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଅଧ୍ୟାୟ ଏବେ ଖୋଲୁଛି । ରିପୋର୍ଟ ଅନୁସାରେ ଜମାଲୁଦ୍ଦିନ୍‌ଙ୍କ ଏକାନ୍ତ ଘନିଷ୍ଠ ସହଯୋଗୀ ନୀତୁ ଓରଫ୍ ନସରୀନ୍ ନାମ୍ନୀ ଜଣେ ମହିଳାଙ୍କ ଘରେ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ (ଏଟିଏସ୍‌) ଦ୍ୱାରା କରାଯାଇଥିବା ଚଢାଉରେ ଏକ ଲାଲ ଡାଏରୀ ଉଦ୍ଧାର କରାଯାଇଛି, ଯେଉଁଥିରେ ଅନେକ ରାଜନେତା ଏବଂ ପୂର୍ବତନ ଅଧିକାରୀଙ୍କ ନାମ ଲେଖାଯାଇଛି । ଏସମସ୍ତେ ୨୦୨୨ ଗତ ବିଧାନସଭା ନିର୍ବାଚନ ସମୟରେ ଚାଙ୍ଗୁର ବାବାଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ପାଇଥିବା ଏହି ଡାଏରୀ ଦର୍ଶାଉଛି । ଫଳରେ ଏହି ମାମଲାରେ ଏବେ ଏଟିଏସ୍ ସହ ଇଡି ଏବଂ ଏସ୍‌ଟିଏଫ୍ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ଲାଲ୍ ଡାଏରୀରୁ ପ୍ରାୟ ୧୦୬ କୋଟି ଟଙ୍କାର ବିଦେଶୀ ପାଣ୍ଠି ସହିତ ଜଡିତ ଏକ ନେଟୱାର୍କର ସୁରାକ୍ ମିଳିବ ବୋଲି ଅନୁମାନ କରାଯାଉଛି । କେବଳ ସେତିକି ନୁହେଁ ଏହି ଡାଏରୀରୁ ଭ୍ରଷ୍ଟ ତଥା ଲାଞ୍ଚଖୋର ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ନେତାମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଏକ ବଡ଼ ପ୍ରମାଣ ଭାବେ ବିବେଚନା କରାଯାଉଛି । କେବଳ ସେତିକି ନୁହେଁ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କ ନାମ ମଧ୍ୟ ଏହି ଡାଏରୀରୁ ସାମ୍ନାକୁ ଆସିଛି ଯାହାକୁ ଚାଙ୍ଗୁର ବାବା ବିଧାନସଭା ନିର୍ବାଚନରେ ଟିକେଟ୍ ଦେବା ପାଇଁ ଯୋଜନା କରିଥିଲେ ।

ଚାଙ୍ଗୁର ବାବାଙ୍କ ପ୍ରକୃତ ନାମ ଜମାଲୁଦ୍ଦିନ ଏବଂ ସେ ନେପାଳ ସୀମା ସଂଲଗ୍ନ ଉତ୍ତର ପ୍ରଦେଶର ବଳରାମପୁର ଜିଲାର ରାହରା ମାଫି ଗ୍ରାମର ବାସିନ୍ଦା । ସେ ସାଇକେଲରେ ମୁଦି ଏବଂ ତାବିଜ ବିକ୍ରୟ କରି ନିଜର କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଗତ ଦଶନ୍ଧିରେ, ସେ ବହୁ ସମ୍ପତ୍ତି ଏବଂ କୋଟି କୋଟି ଟଙ୍କାର ନେଟୱାର୍କ ଗଠନ କରିବାରେ ସଫଳ ହୋଇଥିଲେ । ତଦନ୍ତରୁ ଜଣାପଡିଛି ଯେ ମଧ୍ୟ-ପୂର୍ବ ଦେଶଗୁଡ଼ିକରୁ ଦାନ ସହିତ ତାଙ୍କର ଆର୍ôଥକ ଶକ୍ତି ବୃଦ୍ଧି ପାଇଛି । ତାଙ୍କର ୪୦ରୁ ଅଧିକ ସକ୍ରିୟ ବ୍ୟାଙ୍କ ଆକାଉଣ୍ଟ ଥିଲା, ଯାହା ମାଧ୍ୟମରେ ପ୍ରାୟ ୧୦୬ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ମହାରାଷ୍ଟ୍ରର ବଳରାମପୁର ଏବଂ ଲୋନାୱାଲାରେ ଦୁଇଟି ସମ୍ପତ୍ତି ଅଛି, ଯାହାର ମୂଲ୍ୟ ୧୮ କୋଟି ଟଙ୍କାରୁ ଅଧିକ । ଇଡି ଅନୁଯାୟୀ, ଲୋନାୱାଲାର ଜମି ଚାଙ୍ଗୁର ବାବା ତାଙ୍କର ଜଣେ ସହଯୋଗୀଙ୍କ ସହିତ ଅଗଷ୍ଟ ୨୦୨୩ରେ କିଣିଥିଲେ । ଏହି ସମ୍ପତ୍ତି ମହମ୍ମଦ ଅହମ୍ମଦ ଖାନ ନାମକ ଜଣେ ବ୍ୟକ୍ତିଙ୍କଠାରୁ କିଣାଯାଇଥିଲା, ଯିଏ କି ସନ୍ଦେହଜନକ ପାଣ୍ଠି ସ୍ଥାନାନ୍ତରର ଏକ ଅଂଶ ବୋଲି କୁହାଯାଉଛି । ତଦନ୍ତରୁ ଚାଙ୍ଗୁର ବାବାଙ୍କର ଧର୍ମାନ୍ତରୀକରଣ ନେଟୱାର୍କ ନେପାଳ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking