ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ କରକଚିଆ ଗ୍ରାମର ପୂଜା ଅଗରବତି କେବି ନାମକ ଏକ ଧୂପକାଠି ତିଆରି ସଂସ୍ଥା ସେହି ଅଞ୍ଚଳର କେତେକ ବ୍ୟକ୍ତିଙ୍କୁ ବାଇକ୍ ଯୋଗାଇ ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ କବିତା ସିଂ(୩୦) ଓ ତାଙ୍କ ସ୍ୱାମୀ ବାପି ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଧୂପ କାଠି ତିଆରି କରୁଥିବା ସଂସ୍ଥାର ମାଲିକ କବିତା ସିଂ ୩ରୁ ୪ ବର୍ଷ ହେବ ଧୂପ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିବା ସହ ବାହାର ବଜାରକୁ ପଠାଉଥିଲେ। ଉକ୍ତ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ସେ ୮ରୁ ୧୦ ଜଣ ବ୍ୟକ୍ତିଙ୍କୁ ଲିଡର୍ ରୂପେ ଦାୟିତ୍ୱ ଦେଇଥିଲେ। ୨ ବର୍ଷ ତଳେ ଲିଡରଙ୍କୁ ମାର୍କେଟିଂ କରିବାକୁ ସହଜ ଓ ସୁବିଧା ପାଇଁ ତାଙ୍କୁ ସ୍କୁଟି ଓ ବାଇକ୍ର ଲୋଭ ଦେଖାଇ ବାରିପଦା ହିରୋ ସୋ’ରୁମ୍ରେ ସେମାନଙ୍କ ନାମରେ ଗାଡ଼ି ଋଣ କରାଇ ଦେଇଥିଲେ। ତେବେ ଋଣ ପୂର୍ବରୁ ସେମାନଙ୍କ ପାଖରୁ ସୋ’ରୁମ୍ରେ ଜମା କରିବା ପାଇଁ ପ୍ରଥମେ ୪୦ରୁ ୪୫ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। ପରବର୍ତ୍ତୀ କିସ୍ତି ଗୁଡ଼ିକ କମ୍ପାନୀ ତରଫରୁ ତାଙ୍କ ଦ୍ୱାରା ପୈଠ କରାଯିବ ବୋଲି କହିଥିଲେ।
ମାତ୍ର ୨ରୁ ୩ଟି କିସ୍ତି ଦେବା ପରେ କବିତା ଆଉ ଧରାଛୁଆଁ ଦେଇନଥିଲେ। ଫଳରେ କିଛି ନ ଜାଣି ଋଣରେ ଆଣିଥିବା ନିରୀହ ଆଦିବାସୀଙ୍କ ଉପରେ ଫାଇନାନ୍ସ କମ୍ପାନୀ ଚଢ଼ଉ ଓ ଜୁଲମ କରିବା ସହ ନାନା ଧମକ ଚମକ ଦେଉଥିବାର ଅଭିଯୋଗରେ ଦର୍ଶାଯାଇଛି। ତେବେ ଋଣ ଆଣିଥିବା ବ୍ୟକ୍ତିମାନେ ଏହା ଜାଣିବା ପରେ ବାରିପଦା ସୋ’ରୁମ୍ରେ କାଗଜପତ୍ର ଯାଞ୍ଚ କରିବାରୁ କାହାର ୧୦ ହଜାର ତ ଆଉ କାହାର ୪୫ ହଜାର ଟଙ୍କା ଜମା ଦିଆଯାଇଥିବାର ଜାଣିବାକୁ ପାଇଛନ୍ତି। କମ୍ପାନୀର କାର୍ଯ୍ୟ ଲୋଭ ଦେଖାଇ କବିତା ସିଂ ଗାଡ଼ି ଋଣ କରିବା ନାମରେ ବିଭିନ୍ନ ଲୋକଙ୍କଠାରୁ ଏପରି ଠକେଇ କରିଥିବା ଜଣାପଡ଼ିବା ପରେ କମ୍ପାନୀର ଲିଡର ଭାବେ କାର୍ଯ୍ୟରତ ଥିବା ନାରାୟଣ କିସ୍କୁ(୨୬) ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ପରେ ଏକ ମାମଲା ରୁଜୁ କରି କବିତା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଏହାପୂର୍ବରୁ ମୋବାଇଲ୍, ସାଇକେଲ, ବାଇକ୍, କାର୍ ବ୍ୟବସାୟରେ ସଂପୃକ୍ତ ରହି ଋଣ କରିଦେବା ଆଳରେ ୫୦ରୁ ଅଧିକ ନିରୀହ ଆଦିବାସୀ ଲୋକଙ୍କୁ ଠକିଥିବା ଜଣାପଡ଼ିଛି।










