27.1 C
Bhubaneswar
Friday, March 14, 2025
Homeଓଡିଶାବିରୋଧୀଙ୍କ ମଧ୍ୟରେ ଫାଟ, ସରକାର ସୁବିଧାରେ

ବିରୋଧୀଙ୍କ ମଧ୍ୟରେ ଫାଟ, ସରକାର ସୁବିଧାରେ

ଭୁବନେଶ୍ୱର (ବିପିନ୍ ସିଂ): ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ମଧ୍ୟରେ ଫାଟ ଦେଖାଦେଇଛି। ବିଧାନସଭାର ପ୍ରଥମାର୍ଦ୍ଧ ଅଧିବେଶନରେ ଯେଉଁ ଏକତା ଦେଖିବାକୁ ମିଳିଥିଲା ଦ୍ୱିତୀୟାର୍ଦ୍ଧ ଅଧିବେଶନ ଆରମ୍ଭରେ ତାହା ପରିଲକ୍ଷିତ ହେଲା ନାହିଁ। ବିରୋଧୀ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇବାରୁ ସରକାରଙ୍କୁ ସୁବିଧା ହେଲା ବୋଲି କୁହାଯାଉଛି।

ବିଧାନସଭା ଭିତରେ ବିରୋଧୀ ଦଳଙ୍କ ମଧ୍ୟରେ ଏକତା ଏକାନ୍ତ ଜରୁରୀ। ଗୁରୁତ୍ୱପୂର୍ଣ୍ଣ ପସଙ୍ଗକୁ ନେଇ ଉଭୟ ଏକାଠି ଲଢ଼ିଲେ ସରକାରଙ୍କୁ ଅଡ଼ୁଆରେ ପକାଇ ପାରିବେ। ନୂଆ କରି ବିରୋଧୀ ଦଳରେ ବିଜେଡି ବସିଥିବାରୁ ବୋଧହୁଏ ରଣ-କୌଶଳର କୂଳ-କୀନାରା ପାଉନାହିଁ। ଆଜି ବିଧାନସଭା ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ଯେଉଁ ପ୍ରସଙ୍ଗ ଉଠାଇଲେ ତାହା ହାଲୁକା ନୁହେଁ। କିନ୍ତୁ ମିଳିତ ଭାବରେ ଗୋଟିଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ହୁଏତ କିଛି ନୀର୍ଯ୍ୟାସ ବାହାରି ଥାଆନ୍ତା। କିନ୍ତୁ କଂଗ୍ରେସ ଛାତ୍ର ସଂସଦ ନିର୍ବାଚନ ନେଇ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କଲାବେଳେ ବିଜେଡି ନିଜ ଆସନରେ ଛିଡ଼ା ହୋଇ ରାଜ୍ୟପାଳଙ୍କ ପୁଅ ଘଟଣାକୁ ନେଇ ପାଟି କରିଥିଲେ। ଏହିନେଇ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ କରିଥିଲେ। ଫଳରେ ପାଟିତୁଣ୍ଡ ଯୋଗୁ ପ୍ରଶ୍ନ ଉତ୍ତର କାର୍ଯ୍ୟ ହୋଇପାରିଲା ନାହିଁ। ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିଜେଡି ନୀରବରେ ବସି ରହିଲା। କଂଗ୍ରେସ ଗୃହ ଭିତରକୁ ଆସି ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣି ପାଟିତୁଣ୍ଡ କଲା। ଏଥିରୁ ଜଣାପଡ଼ିଲା ବିଜେଡି ଆଜି ଗୃହରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇବାକୁ ର୍ପୂବରୁ ଯୋଜନା କରି ନଥିଲା। କଂଗ୍ରେସ ଯେହେତୁ ଗୃହ ଭିତରକୁ ଆସି ହୋହଲ୍ଲା କଲା ସେଥିପାଇଁ ରାଜନୀତିରେ ପଛେଇ ନଯିବା ଲାଗି ହଠାତ୍ ଏଇ ପଦକ୍ଷେପ ନେଲେ ବୋଲି କୁହାଯାଉଛି। କାରଣ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ପ୍ରଥମ ପର୍ଯ୍ୟାୟ ବୈଠକରେ ବିଜେଡି ଦୁଇଦିନି ହୋହଲ୍ଲା କରି ଚୁପ୍ ରହି ଯାଇଥିଲା। କଂଗ୍ରେସ ଗୋଟିଏ ଦିନ ପରେ ଅନ୍ୟ ପ୍ରସଙ୍ଗକୁ ଚାଲିଗଲା।

ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିକୁ ଗୃହରେ ମାନ୍ୟତା ମିଳିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିମ୍ବା ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗୃହରେ ସବୁବେଳେ ଦେଖିବାକୁ ମିଳୁନି। ବିଜେଡି ସରକାର ସମୟରେ କଂଗ୍ରେସ ଓ ବିଜେପି ବିରୋଧୀ ଦଳରେ ଥିବାବେଳେ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ରାଜନୈତିକ ମତ ପାର୍ଥକ୍ୟକୁ ଭୁଲି ସରକାରଙ୍କୁ ଘେରିବା ପାଇଁ ଏକାଠି ରଣକୌଶଳ ନିର୍ଦ୍ଧାରଣ କରୁଥିଲେ। ଅନେକ ସମୟରେ ଦେଖାଯାଇଥିଲା ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ଥିବା ବର୍ତ୍ତମାନର ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂଗ୍ରେସ ବିଧାୟକ ଦଳର ନେତା ଥିବା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠକୁ ଆସି ତାଙ୍କ ସହ ଆଲୋଚନା କରୁଥିଲେ। ଏପରିକି କେତେକ ଘଟଣାରେ ଶ୍ରୀ ମିଶ୍ର ମଧ୍ୟ ସେତେବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଶ୍ରୀ ମାଝୀଙ୍କ ସହ ଫୋନ୍‌ରେ ଆଲୋଚନା କରୁଥିଲେ। ହେଲେ ବର୍ତ୍ତମାନେ ସେପରି କିଛି ପରିଲିକ୍ଷିତ ହେଉନାହିଁ। ବିଜେଡି ଓ କଂଗ୍ରେସ ନିଜ ନିଜ ବାଟରେ ଚାଲିଛନ୍ତି। ଯାହାକୁ ଯେଉଁ ପ୍ରସଙ୍ଗ ସୁହାଉଛି ସେ ତାକୁ ଧରି ଆଲୋଚନାକୁ ଓହ୍ଲାଉଛନ୍ତି। ଏପରିକି କଂଗ୍ରେସ ମଧ୍ୟ କୌଣସି ପ୍ରସଙ୍ଗକୁ ନେଇ ବିଜେଡି ସହ ଆଲୋଚନା କରିବାକୁ ଆଗ୍ରହ ଥିବା ପରିଲିକ୍ଷିତ ହେଉନାହିଁ। ବିରୋଧୀଙ୍କ ମଧ୍ୟରେ ଏକତାର ଅଭାବ ସରକାରଙ୍କୁ ବେଶ୍ ସୁହାଇଛି।

ବିରୋଧୀଙ୍କ ମଧ୍ୟରେ ଏପରି ଏକତା ଅଭାବ ରହିଲେ ଆଗକୁ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହଜରେ ଖସିଯିବେ। ଯେପରି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଘଟଣା ଥିଲା ତାହାକୁ ନେଇ ବିରୋଧୀ ଯେଉଁ ରାଜନୈତିକ ଫାଇଦା ହାସଲ କରିପାରି ଥାଆନ୍ତେ ଓ ସରକାରଙ୍କୁ କାଠ ଗଡ଼ାକୁ ଆଣିପାରି ଥାଆନ୍ତେ ସେପରି କିଛି ପରିଲିକ୍ଷିତ ହେଲା ନାହିଁ। କାରଣ ବିଜେଡି ପ୍ରସଙ୍ଗକୁ ଧରି ରଖିବାକୁ ଚାହୁଁଥିଲା ବେଳେ ହଠାତ୍ କଂଗ୍ରେସ ଏହି ପ୍ରସଙ୍ଗରୁ ଓହରି ପୋଲାଭରମ ପ୍ରସଙ୍ଗ ଉଠାଇଲା। ଏ କ୍ଷେତ୍ରରେ ଯଦି ଉଭୟ ଦଳଙ୍କ ମଧ୍ୟରେ ବିଧାନସଭା ପାଇଁ ବୁଝାମଣା ଭିତିରେ ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଥାଆନ୍ତେ ତେବେ ସରକାରଙ୍କ ପାଇଁ ବହୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ବିଶେଷ ଅଡ଼ୁଆରେ ପକାଇବାକୁ ବୋଧହୁଏ ଚାହୁଁ ନାହାଁନ୍ତି। ସେଥିପାଇଁ ସେ କିମ୍ବା ତାଙ୍କ ପକ୍ଷରୁ ଅନ୍ୟ କୌଣସି ନେତାଙ୍କୁ ଦାୟିତ୍ୱ ଦେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଆଲୋଚନା କରି ଥାଆନ୍ତେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking