28.7 C
Bhubaneswar
Friday, April 10, 2026
Homeଓଡିଶାଅଂଶୁଘାତ ଆଶଙ୍କା ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି

ଅଂଶୁଘାତ ଆଶଙ୍କା ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର : ଚଳିତ ବର୍ଷ ଅପ୍ରେଲ ମାସରେ ରୌଦ୍ରତାପ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ରୌଦ୍ରତାପଜନିତ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଏଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଅପ୍ରେଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ସୃଷ୍ଟ ପ୍ରଚଣ୍ଡ ରୌଦ୍ରତାପଜନିତ ଅଂଶୁଘାତରୁ ରକ୍ଷା କରିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏତଦ୍ଦ୍ୱାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନଙ୍କର ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଅପ୍ରେଲ ମାସ ୧ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବେ ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ ।
ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଯେଉଁଥିରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇ ପାରିବ ନାହିଁ ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ନିମ୍ନମତେ ସତର୍କମୂଳକ ପଦକ୍ଷେପ ନେବେ ।

ଯଥା – ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା , ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା , ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ,ପ୍ରତ୍ୟେକ ଶ୍ରମିକ ପାଇଁ ଓ.ଆର୍‌.ଏସ୍‌ ପ୍ୟାକେଟ୍‌ ବ୍ୟବସ୍ଥା । ଉପରୋକ୍ତ ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ (ସିଡ଼ିଏମ୍‌ଓ), ଉପମଣ୍ଡଳ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି), କମୁ୍ୟନିଟି ହେଲଥ୍‌ ସେଣ୍ଟର (ସିଏଚ୍‌ସି) ଚିକିତ୍ସାଳୟଗୁଡ଼ିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀମାନଙ୍କର ତତ୍‌ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking