25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ

ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଗୋଟିଏ କୁଏତରେ ପହଞ୍ଚିଛି । ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଚତୁଃରାଷ୍ଟ୍ରୀୟ କୂଟନୈତିକ ଗସ୍ତରେ ଥିବା ବେଳେ ବାହାରିନ୍ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ କୁଏତରେ ପହଞ୍ଚିଥିଲା । କୁଏତ ସରକାରଙ୍କ ଶୀର୍ଷ ନେତା, ପ୍ରମୁଖ ବ୍ୟକ୍ତିବିଶେଷ ଓ ସଂଗଠନଙ୍କ ସହ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛି । ତେବେ ପ୍ରତିନିଧି ଦଳରେ ସାମିଲ ଥିବା ଗୁଲାମ୍ ନବୀ ଆଜାଦ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଖରାପ ହୋଇପଡିଥିବା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷେ କୁଏତରେ ପହଞ୍ôଚଥିôବା ପ୍ରତିନିଧି ମଣ୍ଡଳୀ କୁଏତର ଉପପ୍ରଧାନମନ୍ତ୍ରୀ ତଥା କ୍ୟାବିନେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶେରିଦା ଅବଦୁଲ୍ଲା ସାଦ୍ ଅଲ ମୌଶେର୍ଜିଙ୍କ ସହ ଫଳପ୍ରଦ ଆଲୋଚନା କରିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ସମେତ ଭାରତ ବିରୋଧରେ ଚାଲିଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ଭାରତର ପ୍ରତିନିଧିମାନେ କୁଏତ ଉପପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜମ୍ମୁକାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ସେଠାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ପ୍ରତିନିଧିମାନେ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଏବଂ ‘ନୂତନ ବାସ୍ତବିକତା’ ବିଷୟରେ ଅବଗତ କରାଇଥିଲେ । ସେମାନେ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସଠିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଜଣାଇଥିଲେ । ଭାରତୀୟ ଉପମହାଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ସୀମାପାର ଆତଙ୍କବାଦର ମୁକାବିଲା ପାଇଁ ଭାରତର ‘ନୂତନ ବାସ୍ତବିକତା’ ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା ।

କୁଏତ ଉପପ୍ରଧାନମନ୍ତ୍ରୀ ଭାରତର ଦୃଷ୍ଟିକୋଣ ବିଷୟରେ ସୂଚନା ଦେଇଥିବାରୁ ଭାରତୀୟ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆତଙ୍କବାଦକୁ କୌଣସି ପ୍ରକାର ଉଚିତ୍ ବୋଲି ଆଖ୍ୟା ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ । ଉଭୟ ପକ୍ଷ ଆତଙ୍କବାଦର ସବୁ ସ୍ୱରୂପ ବିରୋଧରେ ଲଢ଼େଇ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ପ୍ରତିନିଧି ଦଳ କୁୱେତରେ ଥିବା ବିଶାଳ ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତର ଜାତୀୟ ସହମତି ବିଷୟରେ ଜଣାଇଥିଲେ । ଆତଙ୍କବାଦ ବିରୁଦ୍ଧରେ ଭାରତର ସକାରାତ୍ମକ କାର୍ଯ୍ୟାନୁଷ୍ଠାନ, ବିଶେଷକରି ଅପରେସନ ସିନ୍ଦୂରକୁ ପ୍ରବାସୀ ଭାରତୀୟ ଦୃଢ଼ ସମର୍ଥନ କରିଥିଲେ । ଆତଙ୍କବାଦ ମାନବତା ବିରୋଧୀ ଏବଂ ସମସ୍ତ ସମ୍ଭାବ୍ୟ ଉପାୟରେ ଏହାର ମୁକାବିଲା କରାଯିବା ଆବଶ୍ୟକ ବୋଲି ଅଂଶଗ୍ରହଣକାରୀମାନେ ଏକମତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking