କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବେଲଘାଟ୍ ସ୍ଥିତ ଘର ସମେତ କୋଲକାତାର ୧୫ଟି ସ୍ଥାନରେ ଆଜି ସିବିଆଇ ଅକସ୍ମାତ୍ ଚଢ଼ାଉ କରିଛି । ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ଏବେ ସନ୍ଦୀପ ଘୋଷଙ୍କ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ମଧ୍ୟ ଛାନ୍ବିନ୍ କରୁଛି । ରିପୋର୍ଟ ଅନୁସାରେ ସିବିଆଇର ଏକ ଟିମ୍ ଆର୍ଜି କର ହସ୍ପିଟାଲ ଫରେନ୍ସିକ୍ ଡିପାର୍ଟମେଣ୍ଟର ଡକ୍ଟର ଦେବାଶିଷ ସୋମଙ୍କ ଘରେ ମଧ୍ୟ ପହଞ୍ଚି ଛାନ୍ବିନ୍ କରିଛି । ଦେବଶିଷ ସୋମ, ସନ୍ଦୀପ ଘୋଷଙ୍କ ଅତି ନିକଟତର ବୋଲି ଜଣାପଡିବା ପରେ ସିବିଆଇ ତାଙ୍କୁ ମଧ୍ୟ ନିଜ ସ୍କାନରକୁ ନେଇଛି । ଦେବାଶିଷଙ୍କ ଘର କୋଲକାତାର କେଶଟୋପୁରରେ ହୋଇଥିବା ବେଳେ ସିବିଆଇର ଏକ ଟିମ୍ ସେଠାରେ ମଧ୍ୟ ପହଞ୍ôଚଥିଲା । ଆରଜି କର ହସ୍ପିଟାଲରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିବା ଦର୍ଶାଇଛି ।
ପ୍ରକାଶ, ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଗତକାଲି ସନ୍ଦୀପ ଘୋଷ ବିରୋଧରେ ଆଣ୍ଟି କରନପସନ୍ ୱିଙ୍ଗ୍ ମାମଲା ଦାୟର କରିଥିଲା । ଏହାପରେ ତାଙ୍କ ଗିରଫ ସମ୍ଭାବନା ବଢ଼ିଛି । ଇତି ମଧ୍ୟରେ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ୍ ଅର୍ଥାତ୍ ଲାଇ ଡିଟେକସନ୍ ଟେଷ୍ଟ ପ୍ରକ୍ରିୟା ଶେଷ ହୋଇଛି । ସୋମବାର ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ଦୀର୍ଘ ୪ ଘଣ୍ଟା ଧରି ସଞ୍ଜୟକୁ ଏହି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସଞ୍ଜୟ ଏବେ ପ୍ରେସିଡେନ୍ସି ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ଲାଇ ଡିଟେକସନ୍ ଟେଷ୍ଟ ପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସିବିଆଇର କିଛି ଅଧିକାରୀ ଓ କିଛି ଡାକ୍ତରଙ୍କୁ ନେଇ ଗଠିତ ୧୬ ଜଣିଆ ଟିମ୍ ଅଭିଯୁକ୍ତଙ୍କ ଏହି ପଲିଗ୍ରାଫ୍ ଟେଷ୍ଟ୍ କରୁଛନ୍ତି । ଗତ ୨ ଦିନ ମଧ୍ୟରେ ସନ୍ଦୀପ ଘୋଷ ଏବଂ ସଞ୍ଜୟ ରୟର ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ୪ ଜୁନିଅର ଡାକ୍ତର ଏବଂ ଜଣେ ସୁଇପରଙ୍କୁ ମିଶାଇ ମୋଟ୍ ୫ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ।










